ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି

0 195

ପୁରୀ – ପୁରୀ ରଥଖଳାରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ବୁଧବାରରେ ଆରମ୍ଭ ହୋଇଛି । ଜୁନ୍‍ ୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କର ସ୍ନାନଯାତ୍ରା ଓ ଅଣସର ନୀତି ସମ୍ପର୍କରେ ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ରଥ ନିର୍ମାଣ ସହିତ ସମ୍ପୃକ୍ତ ସମସ୍ତଙ୍କର କୋଭିଡ୍‍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟପକ୍ଷରେ ସାମାଜିକ ଦୂରତ୍ୱ କଟକଣା ସହିତ କେବଳ ପାଳିଆ ସେବକଙ୍କୁ ନେଇ ସ୍ନାନଯାତ୍ରା ପାଳନ କରାଯିବାକୁ ସ୍ଥିର ହୋଇଛି।
ଆଗାମୀ ୧୭ ତାରିଖ ଲକ୍‍ଡାଉନ ଅବଧି ଶେଷ ହେବା ପରେ ପରିଚାଳନା କମିଟି ବୈଠକ ଡକାଯାଇ ଠାକୁରଙ୍କ ସ୍ନାନଯାତ୍ରା ଓ ଅଣସର ନୀତି ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ସ୍ନାନଯାତ୍ରା ପାଇଁ ସରକାର ଯେଉଁ କଟକଣା ଜାରୀ କରିବେ ସେସବୁକୁ ଦଇତାପତିମାନେ ମାନିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ଆଲୋଚନାରେ ଜିଲ୍ଲାପାଳ ଓ ଏସ୍‍ପି ଅଂଶ ଗ୍ରହଣ କରିଥିଲେ।

ଇତିମଧ୍ୟରେ ରଥର ସମୁଦାୟ ୪୨ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡିଆ ସହିତ ୩ଟି ଅଖ କାର୍ଯ୍ୟ ଶେଷ ହୋଇଛି । ରଥ ନିର୍ମାଣ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଗତକାଲି ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‍ ଓ ଜଷ୍ଟିସ୍‍ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରୀତ ସମୟ ମଧ୍ୟରେ ଶେଷ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Leave A Reply