କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହ ହୋଟେଲମାନଙ୍କୁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି । ବିଦେଶୀ ପର୍ଯ୍ୟଟକମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ, ତେବେ ସିଡିଏମ୍ଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି । ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକମାନଙ୍କୁ ରେଳ ଷ୍ଟେସନ୍ ଓ ବସ୍ଷ୍ଟାଣ୍ଡରେ ସ୍କ୍ରିନିଂ କରାଯିବ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଇସୋଲେସନ୍ ୱାର୍ଡ କରାଯାଇଛି ।
ଅପରପକ୍ଷରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ କରୋନା ମୁକାବିଲା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହ ଆଲୋଚନା କରିଥିଲେ । ତେବେ ରାଜ୍ୟରେ କରୋନା ଆକ୍ରାନ୍ତମାନଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର୍ ମିଳିବା ସହ ଭୁବନେଶ୍ୱରସ୍ଥିତ
ଆର୍.ଏମ୍.ଆର୍.ସି.ଠରେ କରୋନା ଭୂତାଣୁ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁସ୍ଥ ବ୍ୟକ୍ତିମାନେ କରୋନା ନେଇ କୌଣସି ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ । ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ଉଚିତ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେଗୁଡ଼ିକ ହେଲା – ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ । ହାତ ପରିସ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବରେ ଧୁଅନ୍ତୁ, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ୍ କିମ୍ବା ଟିସୁ ପେପରଦ୍ୱାରା ଘୋଡ଼ାଇ ରଖନ୍ତୁ । ବ୍ୟବହୃତ ଟିସୁ ପେପରକୁ ଯଥାଶୀଘ୍ର ଢାଙ୍କୁଣି ଥିବା ଡଷ୍ଟବିନ୍ରେ ପକାଇ ଦିଅନ୍ତୁ । ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତେବେ ଅନ୍ୟମାନଙ୍କ ସହ ମିଳାମିଶା ନ କରି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ । ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ ।