ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀଙ୍କୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ଅବଗତ କରାଇଥିଲେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଗ୍ରୀଷ୍ମ ପ୍ରବାହ ମୁକାବିଲା ପଦକ୍ଷେପ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯିବା ସଙ୍ଗେ ସଙ୍ଗେ ଜିଲ୍ଲା ଓ ସହରଗୁଡ଼ିକରେ ଜରୁରୀକାଳୀନ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ଦେଶରେ ବର୍ଷା ପ୍ରସ୍ତୁତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।
ବନ୍ୟା ମୁକାବିଲା ପ୍ରସ୍ତୁତି ଯୋଜନା କାର୍ଯ୍ୟକାରି କରିବା ସଙ୍ଗେ ସଙ୍ଗେ ସତର୍କ ରହିବା ପାଇଁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ଦୁର୍ବିପାକ ତ୍ୱରିତ ବାହିନୀ ଏନ୍.ଡି.ଆର୍.ଏଫ୍.କୁ ବନ୍ୟା କ୍ଷତିଗ୍ରସ୍ତ ରାଜ୍ୟ ଗୁଡ଼ିକ ପାଇଁ ଯବାନମାନଙ୍କୁ ମୁତୟନ ଲାଗି ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହ କିମ୍ବା ଅଗ୍ନିକାଣ୍ଡ ଯୋଗୁଁ କୌଣସି ପ୍ରକାର ମୃତ୍ୟୁ ଯେପରି ନ ହୁଏ ସେଥିଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ, ଜଳଶକ୍ତି ବିଭାଗର ସଚିବଗଣ, ଏନ୍.ଡି.ଏମ୍.ଏ. ସଦସ୍ୟ, ଆଇ.ଏମ୍.ଡି. ଓ ଏନ୍.ଡି.ଆର୍.ଏଫ୍. ତଥା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।
Comments are closed, but trackbacks and pingbacks are open.