ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପାଣିପାଗ ବିଭାଗର ସୂଚନାକୁ ଆଧାର କରି ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ । ତେବେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ୧୮ଟି ଏନ୍ଡିଆର୍ଏଫ୍, ୨୦ଟି ଓଡ୍ରାଫ ଓ୧୭୫ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକ ପଡିଲେ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ । ସେହିପରି ଶକ୍ତି, ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବମାନଙ୍କ ସହ ଏସ୍ଆରସି ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥାମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହା ସହ ସେ ଜନସାଧାରଣଙ୍କୁ ବାତ୍ୟା ପାଇଁ ଭୟଭୀତ ନ ହେବା ଓ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ।
ସେହିଭଳି ଶ୍ରୀ ଜେନା ବାତ୍ୟା ମୁକାବିଲା ନେଇ ୧୮ଟି ଜିଲ୍ଲାର ଜିଲ୍ଳାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀକାଳୀନ ବ୍ୟବସ୍ଥା କେନ୍ଦ୍ର ଖୋଲିବାକୁ ଏସ୍ଆରସି ନିର୍ଦ୍ଦେଶଦେଇଛନ୍ତି । ଏହାସହ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ସ୍କୁଲ ଓ ସରକାରୀ ପକ୍କା ଘରଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ଚିଠିରେ ଏସ୍ଆରସି ପରାମର୍ଶ ଦେଇଛନ୍ତି । ୩ ଜଣିଆ ଟିମ୍କୁ ସେଲଟର ହୋମ୍ ଦାୟିତ୍ୱ ହସ୍ତାନ୍ତର କରିବାକୁ କୁହାଯାଇଛି । ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ କଳାବଜାରୀ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଖାଦ୍ୟ ସାମଗ୍ରୀ ମହଜୁଦ କରି ରଖୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ଲୋକମାନେ ଭୟଭୀତ ହୋଇ ଅଧିକ ସାମଗ୍ରୀ ନ କିଣିବାକୁ ସେ ପରାମର୍ଶ ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ କୁହାଯିବା ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଯାଇଛି । ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ କୁହାଯିବା ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ବିପର୍ଯ୍ୟୟର ସୂଚନା ନିମିଷେକ ମଧ୍ୟରେ ମିଳିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା ଏକ ସତର୍କ ଆପ୍ ପ୍ରସ୍ତୁତ କରିଛି । ଯାହାଦ୍ୱାରା ପୂର୍ବ ପ୍ରସ୍ତୁତି କରାଯିବା ସହ ବହୁ ମୂଲ୍ୟ ଜୀବନ ବଂଚାଯାଇପାରିବ ବୋଲି ସୂଚନା ମିଳିଛି । ଥାଇଲାଣ୍ଡର ଆର.ଆଇ.ଏମ.ଇ.ଏସ. ନାମକ ଏକ ସଂସ୍ଥା ସହଯୋଗରେ ଓସ୍ଡମା ଏହି ଆପ୍କୁ ବିକଶିତ କରିଛି ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ କହିଛନ୍ତି ।
ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯୋଗୁଁ ଉପକୂଳ ଓଡିଶାର ବିଭିନ୍ନ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ବ୍ରଜପାତ ସହିତ ଝଡବର୍ଷା ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବଜ୍ରପାତ ଘଟି ୨ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ ଅନ୍ୟଏକ ସ୍ଥାନରେ ଜଣେ ମହିଳାଙ୍କ ଉପରେ
ଗଛ ପଡିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ନୟାଗଡ ଜିଲ୍ଲାରେ କାଳବୈଶାଖୀ ଝଡରେ ୬ଜଣ ବ୍ୟକ୍ତି ଆହତ ହୋଇ
ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେହିପରି ଯାଜପୁରର ଜଖପୁରା, କଟକ ଜିଲ୍ଲାର ସାଲେପୁର, ଖୋର୍ଦ୍ଧା ଜିଲ୍ଳାର ବାଘମାରୀ ଏବଂ
ବାଲୁଗାଁ ଅଞ୍ଚଳରେ ଝଡବର୍ଷା ଯୋଗୁଁ ବ୍ୟାପକ କ୍ଷତି ଘଟିଛି । ବାଲେଶ୍ୱରରେ ମଧ୍ୟ ଝଡବର୍ଷା ହୋଇଯାଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର କେତେକ ଅଞ୍ଚଳରେ ପୁଣି କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ପବନ ବହିବାର ସମ୍ଭାବନା ରହିଛି ।
Comments are closed, but trackbacks and pingbacks are open.