ରାଜ୍ୟରେ ୨୪ ଜଣ ନୂଆ ଓମିକ୍ରନ୍‍ ଆକ୍ରାନ୍ତ ଚିହ୍ନଟ -ବି.ଏମ୍‍.ସି. ର ୫ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‍ମେଣ୍ଟ ଜୋନ୍‍ ଭାବେ ଘୋଷଣା

0 82

ରାଜ୍ୟରେ ୨୪ ଜଣ ନୂଆ ଓମିକ୍ରନ୍‍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇ.ଏଲ୍‍.ଏସ୍‍. ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି । ନୂଆକରି ଚିହ୍ନଟ ହୋଇଥିବା ଓମିକ୍ରନ୍‍ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ୍‍ ହିଷ୍ଟ୍ରି ଥିବାବେଳେ ଆଉ ୧୯ ଜଣଙ୍କର ଗୋଷ୍ଠୀ ନମୁନାରୁ ପଜିଟିଭ୍‍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ମୋଟ୍‍ ୨୧୮ ନମୁନା ପରୀକ୍ଷଣରୁ ଏହି ପଜିଟିଭ୍‍ ଚିହ୍ନଟ ହୋଇଥିବା ଆଇ.ଏଲ୍‍.ଏସ୍‍. ପକ୍ଷରୁ କୁହାଯାଇଛି । ଏଥିସହିତ ରାଜ୍ୟରେ ଓମିକ୍ରନ୍‍
ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି ।

ରାଜ୍ୟରେ ଗୋଟିଏ ଦିନରେ ୨୮ଟି ଜିଲ୍ଲାରୁ ଆଉ ୧ ହଜାର ୨୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୭୧୦ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୧୮୭ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ
ସଂଖ୍ୟା ୧୦ ଲକ୍ଷ ୫୭ ହଜାର ୮୭୬ରେ ପହଞ୍ଚିଛି । ରାଜ୍ୟରେ ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ଆଉ ୨ ଜଣଙ୍କର ମୃତ୍ୟୁ ଘଟିବା ଫଳରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୬୬କୁ ବୃଦ୍ଧିପାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି । ରାଜଧାନୀରେ ସଂକ୍ରମଣ ବଢ଼ୁଥିବାରୁ ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ – ବି.ଏମ୍‍.ସି. ୫ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‍ମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଛି । ସେହି ସ୍ଥାନଗୁଡ଼ିକ ହେଲା- ଆଚାର୍ଯ୍ୟ ବିହାର ପାଣିଟାଙ୍କି ଓ ସାଇମନ୍ଦିର ଅଞ୍ଚଳ, ସତ୍ୟନଗର, ବାପୁଜୀ ନଗର ଏବଂ ଟଙ୍କପାଣି ରୋଡ୍‍ ସ୍ଥିତ ବିଷ୍ଣୁନଗର । ଏହିସବୁ ଅଞ୍ଚଳର ଜନସାଧାରଣଙ୍କୁ ଘରେ ରହିବାକୁ କୁହାଯାଇଛି । ଫଳରେ ଏହି ଅଞ୍ଚଳ ପରିସରକୁ କୌଣସି
ବାହାର ଲୋକ ଯିବାକୁ ବାରଣ କରାଯାଇଛି । ତେବେ ଏହି ଅଞ୍ଚଳରେ ଥିବା ସବୁ ବାସିନ୍ଦାଙ୍କ ପାଇଁ ଜରୁରୀ ସାମଗ୍ରୀ ବି.ଏମ୍‍.ସି. ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Leave A Reply