ଖୋର୍ଦ୍ଧାରେ ସଫଳତା ପରେ କଟକରେ ପହଂଚିଛି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ

62

କଟକ: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ସେପ୍ଟେମ୍ବର ୧୬ ତାରିଖ ଶନିବାର ଦିନ କଟକ ଜିଲ୍ଲାରେ ପହଂଚିଛି । ଖୋର୍ଦ୍ଧା ଗସ୍ତର ସଫଳତା ପରେ ଏହି କାର୍ଯ୍ୟକ୍ରମ ବର୍ତମାନ କଟକ ଜିଲ୍ଲାର ଷ୍ଟାର୍ଟଅପ ଏବଂ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହୋଇ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଏକ ପରିବର୍ତନଶୀଳ ଯାତ୍ରାର ଶୁଭାରମ୍ଭ କରିବାକୁ ଯାଉଛି ।


କଟକରେ ଏହି ଷ୍ଟାର୍ଟଅପ ଯାତ୍ରା ଆଠଟି ଶିକ୍ଷାନୁଷ୍ଠାନ ଯଥା ଅଜୟ ବିନୟ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏବିଆଇଟି), ରେଭେନ୍ସା ୟୁନିଭର୍ସିଟି, ଶୈଳବାଳା ମହିଳା ବିଶ୍ୱବିଦ୍ୟାଳୟ, ଉଦୟନାଥ ଅଟୋନୋମସ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଗଭର୍ଣ୍ଣମେଂଟ ଆଇଟିଆଇ କଟକ, ଡ୍ରିମ୍ସ କଲେଜ, ଗଣପତି ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି(ପଲିଟେକ୍‌ନିକ) ଓ ମଧୁସୁଦନ ଲ କଲେଜକୁ ଅର୍ନ୍ତଭୁକ୍ତ କରିବ । ସେହିପରି ଷ୍ଟାର୍ଟଅପ୍ ଏକ୍ସପ୍ରେସ କ୍ୟାମ୍ବ୍ରିଜ ସ୍କୁଲ ଏବଂ ବିଡ଼ାନାସୀ ମ୍ୟୁନିସିପାଲ୍‌ଟି ହାଇସ୍କୁଲ ମଧ୍ୟ ପରିଦର୍ଶନ କରିବ ।

କିଛିଦିନ ତଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ଖୋର୍ଦ୍ଧାରେ ୩୯ଟି କଲେଜ ଏବଂ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରିଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି । ଏହାର ପ୍ରଥମ ଚାରିଦିନ ଯାତ୍ରାରେ ସମୁଦାୟ ୩୮୮୪ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସମେତ ଖୋର୍ଦ୍ଧାରୁ ସମୁଦାୟ ୪୭୦ରୁ ଅଧିକ ସଂଖ୍ୟକ ଆଇଡିଆ ସୃଷ୍ଟି ହୋଇଛି ।


ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଯାହାଦ୍ୱାରା ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଉଦ୍ଭାବନ ଏବଂ ଉଦ୍ୟୋଗ କ୍ଷେତ୍ରରେ ତୃଣମୂଳ ସ୍ତରରେ ଯୁବ ମସ୍ତିଷ୍କମାନଙ୍କୁ ସଶକ୍ତ ଏବଂ ମାର୍ଗଦର୍ଶନ ପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ କରିବା କରିବା ସହିତ, ଏହି ପଦକ୍ଷେପଗୁଡ଼ିକ ଷ୍ଟାର୍ଟଅପ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗର ଉପଯୋଗ କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ଲାଗି ପ୍ରୟାସ କରୁଛି ।

Comments are closed, but trackbacks and pingbacks are open.