ରାଜ୍ୟରେ ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ରିଲିଫ୍ କୋଡ୍ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୨ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ
ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ସହ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ଜେନା ପରାମର୍ଶଦେଇଛନ୍ତି ।
୨୦ଟି ଜିଲ୍ଲାର ୨୦ଲକ୍ଷ ୪୬ ହଜାର ଲୋକ ଏହି ବର୍ଷା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟ ହେବା ସହିତ ବହୁ ଗୃହପାଳିତ ପଶୁ ମୃତାହତ ହୋଇଛନ୍ତି । ୧୩ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ରାଜ୍ୟର ବିଭିନ୍ନ୍ ନଦୀରେ ଜଳସ୍ତର ବୃଦ୍ଧି ପାଉଛି ।
ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଜି ସକାଳ ୬ଟା ସୁଦ୍ଧା ୧୮ ଦଶମିକ ୩/୩ ମିଟର ଥିବାବେଳେ ଏହାର ବିପଦ ସଂକେତ ସ୍ତର ହେଉଛି ୧୭ ଦଶମିକ ୮/୩ ମିଟର । ଜିଲ୍ଲାର ୭ଟି ବ୍ଲକର ଚାଷଜମି ଜଳମଗ୍ନ ହୋଇଛି ।
ଶ୍ରୀ ଜେନା କହିଛନ୍ତି ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଆସନ୍ତା ୧୭ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ଏସ୍ଆର୍ସି ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଚନ୍ତି ।
ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭ ଦଶମିକ ୩/୯ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୫୪୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୧ଲକ୍ଷ ୨୭ ହଜାର ୧୮୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।