ଓଡ଼ିଶା ବଜେଟ ୨୦୧୯-୨୦ : ସରକାରଙ୍କ ଜନମଙ୍ଗଳ ଯ଼ୋଜନା, ବିପର୍ୟ୍ୟୟ ପରିଚାଳନା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଓଡିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ଅନ୍ୟାନ୍ୟ କ୍ଷେତ୍ର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରାଯାଇଥିଲା । ଏହି ବଜେଟରେ ସରକାରଙ୍କ ଜନମଙ୍ଗଳକାରୀ ଯ଼ୋଜନା ଉପରେ ଗୁରୁତ୍ବ ଦିଆଯ଼ାଇଛି । ଏହା ସହିତ ବିପର୍ଯ଼ୟ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ କରାଯ଼ାଇଛି । ତେବେ ଏଥିରେ ସରକାରଙ୍କ ଆୟ କିପରି ବଢିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ରୋଡମାପ ଦିଆଯ଼ାଇନାହିଁ ।
ଏଥର ରାଜ୍ୟ ବଜେଟର ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି । ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ଅଟକଳ ୫୭,୩୫୦ କୋଟି, ସରକାରୀ କର୍ମଚାରୀଙ୍କ ଦରମା ଖର୍ଚ୍ଚ ୨୫,୫୦୦ କୋଟି ଟଙ୍କା, ସୁଧ ପରିଶୋଧ ପାଇଁ ୧୩,୩୦୦ କୋଟି, କାର୍ୟ୍ୟକ୍ରମ ପରିଚାଳନା ବ୍ୟୟ ଅଟକଳ ୭୬,୬୦୦ କୋଟି ରହିଛି ।
ଏଥର କୃଷି ପାଇଁ ମୋଟ ୨୦,୭୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ସରକାରଙ୍କ ଫ୍ଲାଗସିପ ଯୋଜନା ଭାବେ ପରିଚିତ କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଏପର୍ୟ୍ୟନ୍ତ ପ୍ରାୟ ୭୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କୃଷି ସଂଂଚନ ଯୋଜନାରେ ୨୧୮ କୋଟିର ବ୍ୟୟବରାଦ କରାଯାଇଛି । ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ବିମାନ ସୁଧରେ ଯୋଗାଇଦିଆଯିବ ।
ଏଥର ବଜେଟରେ ସରକାର କୃଷି,ସ୍ୱାସ୍ଥ୍ୟସେବା, ବିପର୍ୟ୍ୟୟ ପରିଚାଳନା,ପାନୀୟ ଜଳ, ମହିଳା ସଶକ୍ତିକରଣ ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପାଇଁ ମୋଟ ୬୮୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ପ୍ରଦାନ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୭୮ କୋଟିର ବ୍ୟୟବରାଦ କରାଯାଇଛି । ରାଜ୍ୟରେ ୧୦ଟି ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା ରହିଛି । ବିପର୍ୟ୍ୟୟ ପରିଚାଳନା, ଦୀର୍ଘ ମିଆଦୀ ଭିତ୍ତିଭୂମି ନିର୍ମାଣ ଲାଗି ଏଥର ବଜେଟରେ ସରକାର ୪୬୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଫନି ପ୍ରଭାବିତ ଅଞ୍ଚଳରେ ପ୍ରାୟ ୫ ଲକ୍ଷ ପକ୍କା ଘର ନିର୍ମାଣ ହେବ ।