କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଚିହ୍ନଟ ପାଇଁ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥା – ଆଇ.ଏଲ୍.ଏସ୍. ଯାଇଥିବା ୨୪୬ଟି ନମୁନା ନେଗେଟିଭ୍ ଆସିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଓମିକ୍ରନ୍ ସଂକ୍ରମଣକୁ ନେଇ କୌଣସି ଭୟ କରିବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ରାଜ୍ୟରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନାହିଁ । ଏହା ସହିତ ଓମିକ୍ରନ୍ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ‘ଏୟାର୍ ସୁବିଧା’ ପୋର୍ଟାଲ୍ରେ ୧୨ ଶହ ୮୬ଜଣ ପଞ୍ଜୀକରଣ କରିଥିବା ସେ କହିଛନ୍ତି । ପୋର୍ଟାଲ୍ରେ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି ।
ସେହିପରି ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି । ସମସ୍ତ ପଜିଟିଭ୍ଙ୍କ ଜିନିମ୍ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି । ଅନ୍ୟପକ୍ଷରେ ଓମିକ୍ରନ୍ର ମୁକାବିଲା ନେଇ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ରାଜ୍ୟକୁ ୫ ସୂତ୍ରୀ ପରାମର୍ଶ ଦିଆଯାଇଛି । ବିଶେଷକରି ବିଦେଶରୁ ଆସୁଥିବା ସମସ୍ତଙ୍କ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ସହ ନମୁନା ପରୀକ୍ଷା ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବାକୁ କୁହାଯାଇଛି ।