ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାମାନେ ଆସି ନଥାନ୍ତି: ନବୀନ
ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କର ଦେଖା ନଥାଏ । ଅତୀତରେ ରାଜ୍ୟରେ ଫାଇଲିନ, ତିତଲି, ହୁଡହୁଡ ଭଳି ବାତ୍ୟା ଓ ବାତ୍ୟା ପରେ ବନ୍ୟା ହୋଇଛି । ମରୁଡି ସମୟରେ ମଧ୍ୟ କେନ୍ଦ୍ରୀୟ ନେତାଙ୍କର ଦେଖା ନଥାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି । ବିପଦ ସମୟରେ ପ୍ରଧାନମନ୍ତ୍ରୀ ଆସି ନାହାନ୍ତି, ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ ନରେନ୍ଦ୍ର ମୋଦୀ ମାରାଥନ ଗସ୍ତ କରୁଛନ୍ତି ବୋଲି ନବୀନ କହିଛନ୍ତି ।
ମୟୂରଭଂଜ ଜିଲ୍ଲାରେ ଆଜି ନବୀନ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ । ସେ ସାଧାରଣ ଜନତାଙ୍କୁ ପଚାରିଥିଲେ ଯେ, ଲୋକେ ଖୁସି ଅଛନ୍ତି ନାଁ ନାହିଁ । ଏଥି ସହିତ ନବୀନ କହିଥଲେ ପ୍ରବଳ ଖରାରେ ଆସି ବି ମୁଁ ଖୁସି ଅନୁଭବ କରୁଛି । ନବୀନ ଆଜି ବାରିପଦାର ପ୍ରସିଦ୍ଧ ହରିବଳଦେବ ଜୀଉଙ୍କୁ ଦର୍ଶନ କରିଛନ୍ତି ।
ମୟୂରଭଂଜର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ନବୀନ କହିଛନ୍ତି, ତୃତୀୟ ପର୍ଯ୍ୟାୟ ମତଦାନ ପରେ ସ୍ପଷ୍ଟ ହୋଇଛି ଯେ, କେନ୍ଦ୍ରରେ କୌଣସି ଜାତୀୟ ଦଳ ସ୍ପଷ୍ଟ ବହୁମତ ପାଇବେ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନ କରିବାରେ ବିଜୁ ଜନତା ଦଳର ବଡ଼ ଭୂମିକା ରହିବ । ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ।