ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । ସଂକ୍ରମିତ ଲୋକମାନଙ୍କୁ ଟିକାକରଣ ପାଇଁ ଉପାୟ ଏବଂ ରୋଗ ପରୀକ୍ଷା କେନ୍ଦ୍ର ସଂପ୍ରସାରଣ ଦିଗରେ ସରକାରଙ୍କୁ ଏହି ଟାକ୍ସଫୋର୍ସ ମାର୍ଗଦର୍ଶନ କରିବ । କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାରତରେ ଏପର୍ଯ୍ୟନ୍ତ ୪ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହେଲେଣି । କେରଳରେ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ମଙ୍କିପକ୍ସ ଲକ୍ଷ୍ୟଣ ଥିବା କେରଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।
ଏହା ପରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସପ୍ତାହକ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ସଂକ୍ରମଣକୁ ନେଇ ବିଶ୍ୱସ୍ତରୀୟ ଜରୁରୀକାଳୀନ ଅବସ୍ଥା ଜାରି କରିଥିଲା । ବସନ୍ତ ରୋଗ ଚିକିତ୍ସା ପାଇଁ ପ୍ରସ୍ତୁତ ଆଣ୍ଟି ଭାଇରାଲ୍କୁ ମଙ୍କିପକ୍ସ ଚିକିତ୍ସାରେ ବ୍ୟବହାର କରିବା ସକାଶେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାଇସେନ୍ସ ପ୍ରଦାନ କରିଛି ।
Comments are closed, but trackbacks and pingbacks are open.