ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅର୍ଥ ଉପକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି । ପୂର୍ବରୁ ବୈଠକ ନ ବସିବା ଯୋଗୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିବାବେଳେ ଆଜି ବଜେଟ୍ର ପ୍ରତ୍ୟେକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହାକୁ ମଞ୍ଜୁରି ମିଳିଛି ।
ମୁଖ୍ୟ ପ୍ରଶାସକ ଡକ୍ଟର କୁମାର କହିଛନ୍ତି, ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ଆୟ ମୁଖ୍ୟତଃ ପଥରକୋରିରୁ ସଂଗ୍ରହ ହେବ । ପାଖାପାଖି ୧୮ କୋଟି ଟଙ୍କା ଏହି ଦିଗରୁ ଆୟ ହେବ ବୋଲି ସେ କହିଛନ୍ତି । ବଜେଟ୍ରେ ରଥଯାତ୍ରା ସମେତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଲାଗି ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି । ଆଜିର ବୈଠକରେ ଛତିଷା ନିଯୋଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଥିବାବେଳେ ଆସନ୍ତା କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲା ରହିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ କରୋନାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିରକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି ।