ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ଓଢଣ ବା
ପ୍ରାବରଣ ଷଷ୍ଠୀ ଶ୍ରୀମନ୍ଦିରରେ ଏକ ପ୍ରମୁଖ ପର୍ବଭାବେ ପାଳିତ ହୋଇଆସୁଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତଦିନେ ଶୀତବସ୍ତ୍ର ପିନ୍ଧିଥାନ୍ତି ।
ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ମା ସୁଭଦ୍ରାଙ୍କ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାରମ୍ପରୀକ ଦରଜୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଶୈଳୀରେ ଘୋଡବସ୍ତ୍ର ତିଆରି କରାଯାଇଛି । ଆଜି ପୂର୍ବାହ୍ନରେ ସକାଳଧୂପ ପରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯାଇଛି । ଏହି ବେଶରେ ସୂତାବସ୍ତ୍ର ନିର୍ମିତ ଗଡା, ଖଣ୍ଡୁଆପାଟ, ଭେଲ୍ଭେଟ୍ର ଘୋଡବସ୍ତ୍ର, ଫୁଟା, ମଫଲର୍, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଇଛି । ଶ୍ରୀମନ୍ଦିର ବିଧିବିଧାନ ଓ ପରମ୍ପରା ଅନୁଯାୟୀ ଓଢଣଷଷ୍ଠୀରୁ ବସନ୍ତପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଅନୁଷ୍ଠିତ ହେବ । ବିଭିନ୍ନ ବାରରେ ଶ୍ରୀଜୀଉମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ରରେ ବେଶ କରାଯିବାର ପରମ୍ପରା ରହିଛି । ଆସନ୍ତା ମାଘ
ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କୁ ଏହି ପୂର୍ଣ୍ଣଘୋଡ ବେଶ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।