ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍‍ ଥାନା ପ୍ରତିଷ୍ଠା ହେବ

0 76

ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍‍ ଥାନା ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ସମୁଦାୟ ୩୪ଟି ପୁଲିସ୍‍ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୁଲିସ୍‍ ଥାନା ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।


ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଆଇନ୍‍ ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା ଅନୁଭବ କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।


ଏହିସବୁ ଥାନାମାନଙ୍କରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ଖୋଲାଯିବ । ବିଭିନ୍ନ ଋଚିସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୁଲିସ୍‍ ପାଇଁ କ’ଣ କରିବା ଓ ନ କରିବା ସେ ସମ୍ପର୍କରେ ସୂଚନା ଫଳକ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ସ୍ୱତନ୍ତ୍ର ଫଳକ ରହିବ ।


ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥଗୁଡ଼ିକରେ ସୁନ୍ଦର ଚିତ୍ର ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ । ସାଧାରଣ ଥାନାଗୁଡ଼ିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ାଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁମାନଙ୍କ ମାନସିକ ଚାପ ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଏ ।

Leave A Reply