ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର , ଧର୍ମେନ୍ଦ୍ର କହିଲେ ଆମେରିକା ଦାୟୀ 

0 1,007
ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି  ଅବ୍ୟାହତ ରହିଛି  । ତେବେ ଏହା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ଦେଶ ସହିତ ଆମେରିକାର ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ ବିଶ୍ୱର ପ୍ରମୁଖ ମୁଦ୍ରା ଗୁଡିକର ମୂଲ୍ୟ ହ୍ରାସ ପାଇଛି । ଆଜି ଭାରତୀୟ ଟଙ୍କାର ମୂଲ୍ୟ ଡଲାର ପିଛା ୭୧ ଟପିଛି । ଏହା ଫଳରେ ଦେଶରେ ତେଲ ଦର ବଢାଇବା ଛଡା ଅନ୍ୟୋପାୟ ନାହିଁ ବୋଲି ସେ କହିଛନ୍ତି ।
ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ ଲିଟର ପିଛା  ୧୬ ପଇସା ଓ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି  କରିଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୮ ଟଙ୍କା ୬୬ ପଇସା ଓ ଡିଜେଲ ଦର ୭୦ ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୦୯ ପଇସା  ଓ ଡିଜେଲ ୭୪ ଟଙ୍କା ୭୬ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୭ ଟଙ୍କା୫୫ ପଇସା ଓ ଡିଜେଲ ୭୫ ଟଙ୍କା ୫୫ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ମୁମ୍ବାଇରେ ସର୍ବାଧିକ ଭାଟ (ଲିଟର ପିଛା ଟ. ୩୯.୧୨) ସଂଗ୍ରହ କରାଯାଉଥିବାରୁ ସେଠାରେ ଦର ସବୁଠାରୁ ଅଧିକ ରହିଛି । ମୁଖ୍ୟତଃ ଦୁଇଟି କାରଣରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୭୧ ରେ ପହଞ୍ଚିବା ।  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ  ୭୪. ୭୫ ଡଲାରକୁ ବୃଦ୍ଧି ପାଇଛିି । ଏସବୁ ଦୃଷ୍ଟିରୁ ଦେଖିଲେ ନିକଟ ଭବିଷ୍ୟତରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ନାହିଁ କହିଲେ ଚଳେ । 
Leave A Reply