ଅତି ଭୀଷଣ ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ
ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଅବପାତ ଗତ ସଂଧ୍ୟାରେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଛି । ଅମ୍ପନ ନାମରେ ନାମିତ ଏହି ସାମୁଦ୍ରିକ ବାତ୍ୟା ଅଧିକ ତୀବ୍ର ରୂପ ଧାରଣ କରିଛି ।
ଏହି ବାତ୍ୟା ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଦେଇ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେବେ ୧୮ରୁ ୨୦ ତାରିଖ ମଧ୍ୟରେ ଏହା କେଉଁଠାରେ ସ୍ଥଳଭାଗକୁ ସ୍ପର୍ଶ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ଆସନ୍ତାକାଲିଠାରୁ ବର୍ଷା ହେବା ସହ ମଙ୍ଗଳବାରକୁ ଘଣ୍ଟାପ୍ରତି ପବନର ବେଗ ୧୫୦ କିଲୋମିଟରରୁ ଊଦ୍ଧ୍ୱର୍ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରିଦିଆଯାଇଛି ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଏଥିପାଇଁ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ବାତ୍ୟାଞ୍ଚଳରେ ୫୬୭ଟି ବାତ୍ୟା ଆଶ୍ରୟସ୍ଥଳ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରସ୍ତୁତ କରି ରଖାଯାଇଛି ବୋଲି ଏ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଜଗତ୍ସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ପ୍ରଭାବିତ ହୋଇପାରେ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବାତ୍ୟା ପରିସ୍ଥିତି ନେଇ ସଜାଗ ରହିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଉପକୂଳ ଓଡ଼ିଶାରେ ୧୨୦ଟି ଅଗ୍ନିଶମ ଟିମ୍କୁ ସଜାଗ ରଖାଯାଇଥିବାବେଳେ ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୧୫ଟି ଲେଖାଏଁ ଟିମ୍କୁ ଉପକୂଳ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ ଟିମ୍ ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି । ଚାନ୍ଦବାଲି, ଧାମରା, ଧାମନଗର, ବାସୁଦେବପୁର ବ୍ଲକର ୧୦୦ରୂ ଊଦ୍ଧ୍ୱର୍ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ଏଥିପାଇଁ ପ୍ରସ୍ତୁତ କରି ରଖାଯାଇଛି ବୋଲି ଏହି ସଂକ୍ରାନ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ ମଧ୍ୟ ପୁରୀରେ ପହଞ୍ଚିଛନ୍ତି ।
ପୁରୀ ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟଜଳ ଏବଂ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାପାଳ ବଳୱନ୍ତ ସିଂହ କହିଛନ୍ତି ।