ଚନ୍ଦନ ଯାତ୍ରା
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଓ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । କୋଭିଡ୍ କଟକଣା ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ । ବିନା ଭକ୍ତରେ ଚନ୍ଦନ ଯାତ୍ରା କରିବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ, ଶ୍ରୀମନ୍ଦିର ସମ୍ମୁଖ ଏବଂ ରଥଖଳାରେ ୧୪୪ ଧାରା ଜାରୀ କରାଯାଇଛି । କୌଣସି ପରିସ୍ଥିତିରେ କରୋନା ନିର୍ଦ୍ଦେଶାବଳୀକୁ ଉଲଂଘନ କରିବାକୁ ଦିଆଯିବ ନାହିଁ ବୋଲି ଏସ୍ପି କନୱର ବିଶାଲ ସିଂ କହିଛନ୍ତି । ଯାତ୍ରା ସହ କେବଳ ସେବାୟତ ଓ କର୍ମଚାରୀ ସାମିଲ ହେଉଥିବା ବେଳେ ସୁରକ୍ଷା ନିମନ୍ତେ ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସପି, ୮ ଇନ୍ସପେକ୍ଟର, ୫୦ କନେଷ୍ଟବଳ, ୮ ପ୍ଲାଟୁନ୍ ଫୋର୍ସ, ୮୦ ହୋମଗାର୍ଡ ୨୮ ଏସଆଇ ଏବଂ ଏଏସଆଇ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।
ଆଜି ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତର ଶୋଧ ଓ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି ହୋଇଥିଲା ।
ଅପରାହ୍ନ ସାଢେ ୩ଟାରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା ପାଇଁ ବିଜେ କରିବା ସହ ଅପରାହ୍ଣ ୪ଟାରେ ରଥ ନିର୍ମାଣ ଅନୁକୂଳ ପାଇଁ ରଥ ଆଜ୍ଞାମାଳ ରଥଖଳାକୁ ବିଜେ କରିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।
ସେହିପରି ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ୨୧ ଦିନ ଧରି ଚନ୍ଦନ ଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ବାବା ମଣୀଙ୍କୁ ମଙ୍ଗଳ ଆଳତି, ମହାସ୍ନାନ, ନବବସ୍ତ୍ର ପ୍ରଦାନ, ଫୁଲଚନ୍ଦନ, ଘର୍ଷଣ ଭୋଗ ଲାଗି କରାଯିବା ସହ ନୀତିକାନ୍ତି ଅନୁଯାୟୀ ପ୍ରଭୁଙ୍କୁ ଦିଗମ୍ବର ବେଶରେ ସୁସଜ୍ଜିତ କରାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିବଗଙ୍ଗା ପୁଷ୍କରିଣୀରେ ଚାପଖେଳକୁ ବନ୍ଦ୍ ରଖାଯାଇ ପୀଠରେ ୧୪୪ ଧାରା ଜାରି କରାଯାଇଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।