ଭୁବନେଶ୍ୱର – ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାରର୍ କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯିବ । କୋଭିଡ୍ କଟକଣା ମଧ୍ୟରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ବୁଥ୍କୁ ସାନିଟାଇଜ୍ କରାଯିବା ସହ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ସମସ୍ତ ଭୋଟରଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବା ଏବଂ ପ୍ରଥମ ଥର ଲାଗି ରାଜ୍ୟରେ ଭୋଟଦାତାମାନେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ପାଇଁ ୫ଟି ଏବଂ ତିର୍ତ୍ତୋଲ ପାଇଁ ୪ଟି ସର୍ଭେଲାନ୍ସ ଟିମ୍ ନିଯୁକ୍ତ ହୋଇଛନ୍ତି । ସମ୍ବେଦନଶୀଳ ବୁଥ୍ଗୁଡ଼ିକ ଉପରେ ନଜର ରଖିବା ଲାଗି ବାଲେଶ୍ୱରରେ ୫ଟି ଏବଂ ତିର୍ତ୍ତୋଲରେ ୪ଟି ପ୍ଲାଇଂ ସ୍କ୍ୱାର୍ଡ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସୁରକ୍ଷିତ ମତଦାନ ଲାଗି ବାଲେଶ୍ୱରରେ ୫୬ ଜଣ ଏବଂ ତିର୍ତ୍ତୋଲରେ ୬୫ ଜଣ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ନିଯୁକ୍ତ ହୋଇଛନ୍ତି ।