ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କର ନବମ ଅବତାର ବୋଲି ଗ୍ରହଣ କରାଯାଇଛି

107

ଆଜି ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି । ଆଜିର ଦିନରେ ଗୌତମବୁଦ୍ଧ ବୋଧଗୟାର ମହାବୋଧୀ ବୃକ୍ଷତଳେ ନିର୍ବାଣପ୍ରାପ୍ତ ହୋଇଥିଲେ । ଯୁବରାଜ ସିଦ୍ଧାର୍ଥ ଗୌତମ ନାମରେ ଜନ୍ମଗ୍ରହଣ କରିଥିବା ଭଗବାନ ବୁଦ୍ଧ ନେପାଳର ଲୁମ୍ବିନିରେ ପୂର୍ଣ୍ଣିମା ତିଥିରେ ରାଣୀ ମହାମାୟା ଦେବୀଙ୍କ କୋଳରେ ଆର୍ବିଭାବ ହୋଇଥିଲେ । ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କର ନବମ ଅବତାର ବୋଲି ଗ୍ରହଣ କରାଯାଇଛି । ଆଜିର ପୂର୍ଣ୍ଣିମା ତିଥି ବୈଶାଖୀ ବୁଦ୍ଧ ପୂର୍ଣ୍ଣିମା ବା ବେଶ୍‍କ ତିଥି ଭାବେ ବୁଦ୍ଧଙ୍କର ଜନ୍ମଦିନ ଭାବେ ପାଳନ କରାଯାଇଥାଏ । ଭାରତ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ତୀବ୍‍ତ, ଚାଇନା, କୋରିଆ, ଲାଓସ, ଭିଏତନାମ, ମଙ୍ଗୋଲିଆ, କାମ୍ବୋଡ଼ିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଶ୍ରୀଲଙ୍କା ଆଦି ରାଷ୍ଟ୍ରଗୁଡ଼ିକରେ ଆଜିର ଦିନକୁ ମହା ଜାକଜମକରେ ପାଳନ କରାଯାଉଛି ।


ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟା ନାଇଡୁ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ବିଶ୍ୱର ସବୁଠାରୁ ଜ୍ୱଳନ୍ତ ଓ ଉଦାହରଣମୟ ଧାର୍ମିକ ନେତା ଭଗବାନ ବୁଦ୍ଧ ସତ୍ୟର ପ୍ରଚାରକ ଥିଲେ । ଆମର ଦୁଃଖର କାରଣ ଜାଣିବା ଓ ଦୁଃଖରୁ ମୁକ୍ତି ପାଇଁ ସେ ଯେଉଁ ବାଣୀ ପ୍ରଚାର କରିଥିଲେ ତାହା ଯୁଗଯୁଗ ପାଇଁ ଜ୍ୱଳନ୍ତ ହୋଇ ରହିଛି । ଶ୍ରୀ ନାଇଡୁ କହିଛନ୍ତି, ଭଗବାନ ବୁଦ୍ଧ ଏବଂ ତାଙ୍କ ଧର୍ମ ନିଶ୍ଚିତ ଭାବେ ଆଲୋକର ଅନ୍ତଃର୍ନିହିତ ଶକ୍ତି ଏବଂ ଆମକୁ ନୈତିକତା, ସନ୍ତୋଷ ଓ ଆନନ୍ଦ ପ୍ରାପ୍ତି ଦିଗରେ ପରିଚାଳିତ କରିବ । ଶ୍ରୀ ନାଇଡୁ କହିଛନ୍ତି, ତାଙ୍କର ସାର୍ବଜନୀନ ପ୍ରେମ, ଦୟା, ଅନୁକମ୍ପା, ସମାନତା ଆଦି ବାଣିକୁ ଆମେ ସମସ୍ତେ ପାଳନ କରିବା ଉଚିତ୍‍ ।

Comments are closed, but trackbacks and pingbacks are open.