ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର ୭୦.୭୮ ପ୍ରତିଶତ, ୮୨ ସ୍କୁଲରେ ଅଦୌ ପାସ କରି ନାହାନ୍ତି ପିଲା
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ଣ ୯ଟାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଚଳିତ ବର୍ଷ ପାସ ହାର ୭୦.୭୮ ପ୍ରତିଶତ ରହିଛି । ପରୀକ୍ଷା ଫଳ ୨ଟି ୱେବସାଇଟରେ ଉପଲବ୍ଧ ହୋଇଛି । ମାଧ୍ୟମାରେ ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀଙ୍କ ଅର୍ଥାତ ୮୪.୬୨ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏ-୧ରେ ୧୧୮୧, ଏ-୨ରେ ୯୯୩୮, ବି୧ରେ ୨୪,୯୯୧ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବି-୨ରେ ୪୬୩୧୯ ,ବଂ ସିରେ ୭୬,୧୩୯ଜଣ ପିଲା ଉର୍ତ୍ତିର୍ଣ୍ଣ ହୋଇଛନ୍ତି ।
ଗତ ବର୍ଷ ତୁଳନାରେ ଏଥର ପାସ ହାର ୫.୨୮ ପ୍ରତିଶତ ହ୍ରାସ ପାଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ୍ୟ ହୋଇଛି କିନ୍ତୁ ଗତ ଥର ୩୨ଟି ସ୍କୁଲରେ କୌଣସି ପିଲା ପାସ କରି ନଥିଲେ । ଝାରସୁଗୁଡ଼ା ଜିଲ୍ଲାରେ ପାସ ହାର ସର୍ବାଧିକ ୮୫.୪୮ ପ୍ରତିଶତ ଥିବା ବେଳେ କୋରାପୁଟରେ ପାସହାର ସର୍ବନିମ୍ନ ୫୦.୬୧ ପ୍ରତିଶତ ବୋଲି ଜଣାପଡ଼ିଛି ।
ରେଜଲ୍ଟ ପ୍ରକାଶିତ ହେବା ପରେ ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି, ପରୀକ୍ଷାରେ ସ୍ୱଚ୍ଛତା ଯୋଗୁଁ ପାସ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପକ୍ଷରେ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଯେଉଁ ସ୍କୁଲରେ ମାଟ୍ରିକ ରେଜଲ୍ଟ ଖରାପ ହୋଇଛି ସମୀକ୍ଷା ହେବ । ରେଜଲ୍ଟ ଖରାପ ସ୍କୁଲର ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।