ବଲାଙ୍ଗୀର — ବଲାଙ୍ଗିର ଜିଲ୍ଲାର ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲ୍ପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ପରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଲ୍ପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିଛନ୍ତି ।
ଏହି ଅବସରରେ ଉପରାଷ୍ଟ୍ରପତି ଏକ ଟେଲିଫୋନ୍ ବାର୍ତ୍ତା ଦେଇ କହିଥିଲେ ଯେ, ବଲାଙ୍ଗିରରେ ବିପିସିଏଲ୍ର ବଟଲିଂ ପ୍ଲାଣ୍ଟ ଆଜି ଲୋକାର୍ପିତ ହୋଇଥିବାରୁ ମୁଁ ବହୁତ ଖୁସୀ ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବଟଲିଂ ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ବଢ଼ୁଥିବା ଏଲ୍.ପି.ଜି.ର ଚାହିଦାକୁ ପୂରଣ କରିବ । ଆକାଂକ୍ଷିତ ଜିଲ୍ଲା ଭାବେ
ପରିଗଣିତ ବଲାଙ୍ଗିରକୁ ଭାରତବର୍ଷର ଅଗ୍ରଣୀ ଅଞ୍ଚଳରେ ପରିଣତ କରିବା ନେଇ ଏହି ପ୍ଲାଣ୍ଟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ବଟ୍ଲିଂ ପ୍ଲାଣ୍ଟ୍ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା । ଏହା ବାର୍ଷିକ ୪୨ ଲକ୍ଷ ଏଲ୍.ପି.ଜି. ବଟ୍ଲିଂର କ୍ଷମତା ରଖିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଅର୍ଥନୈତିକ ସମ୍ଭାବନା ତିଆରିକରିବ ଏବଂ ଯୁବକଙ୍କୁ ରୋଜଗାର ଦେବାକୁ ସକ୍ଷମ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ସାଂସଦ ସଂଗୀତାସିଂହଦେଓ, ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟସଂପଦ ଓ ପଶୁପାଳନ ମନ୍ତ୍ରୀ ଡକ୍ଟର ଅରୁଣସାହୁ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ, ଓଡ଼ିଶାର ୧୪ଟି ଜିଲ୍ଲାରେ ଏଲ୍ପିଜିର ବଢ଼ୁଥିବାଚାହିଦା ପୂରଣ କରିବାକୁ ପ୍ଲାଣ୍ଟ ପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ୨୦୧୮ ମସିହା ମଇ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ । ପ୍ରକଳ୍ପ ଅବଧି ୨୪ ମାସଥିଲେ ହେଁ ରେକର୍ଡ ସମୟରେ ୧୯ ମାସ ଭିତରେ କାମ ସରି ଏହାରଉଦ୍ଘାଟନ ହୋଇଛି ।