ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ , ପ୍ରତିଟି ଜୀବନ ମୂଲ୍ୟବାନ୍‍ – ଚାଷୀ ହେଉ କି ମୁଲିଆ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ, ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍ମାର୍ଟ ହେଲ୍‍ଥ୍‍ କାର୍ଡ଼ ଯୋଜନା ଆରମ୍ଭ

0 93

ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ । ପ୍ରତିଟି ଜୀବନ ମୂଲ୍ୟବାନ୍‍ । ଚାଷୀ ହେଉ କି ମୁଲିଆ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ, ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍ମାର୍ଟ ହେଲ୍‍ଥ୍‍ କାର୍ଡ଼ ଯୋଜନା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‍ଥ୍‍ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଲୋକ ଅର୍ଥାତ୍‍ ୧ ଲକ୍ଷ ୩୫ ହଜାର ପରିବାର ଉପକୃତ ହେବେ ।


ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଜପତି ହେଉଛି କଳା ଓ ସଂସ୍କୃତିର ଭୂମି । ଆଧୁନିକ ଓଡ଼ିଶା ପାଇଁ ଗଜପତିର ଅବଦାନ ଅତୁଳନୀୟ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ବିକାଶ ଓ ସ୍ୱାଭାମାନର ପ୍ରତୀକ ।


ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୮୨୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭିତ୍ତିଭୂମି ସମେତ ମୋଗା ପାଇପ୍‍ ଜଳ ପ୍ରକଳ୍ପ ମଧ୍ୟ ସାମିଲ୍‍ ରହିଛି । ଏଥିସହ ମହେନ୍ଦ୍ରଗିରି ତୀର୍ଥର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।


ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ କେ. ନାରାୟଣ ରାଓ ଓ ଫାଇଭ୍‍-ଟି ସଚିବ ଭି.କେ. ପାଣ୍ଡିଆନ୍‍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply