ଭୁବନେଶ୍ୱର – ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ନାମଲେଖା ପ୍ରକ୍ରିୟା ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା, ବ୍ଲକ, ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ନାଇଣ୍ଟିନ୍ ନିୟମାବଳୀକୁ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖି ପ୍ରଥମରୁ ୧୦ମ ଶ୍ରେଣୀ ଏବଂ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀ ଏହି ସମୟରେ ନାମ ଲେଖାଇ ପାରିବେ । ସକାଳ ୭ଟାରୁ ୯ଟା ୩୦ମିନିଟ୍ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ ଏହି ପ୍ରକ୍ରିୟା ଚାଲିବ । ତେବେ ଏକ ସମୟରେ ୫ଜଣ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଏଥିଲାଗି ଅନୁମତି ମିଳିବ । ଏହି ନିୟମ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମାଦ୍ରାସା ଓ ସଂସ୍କୃତ ଟୋଲ୍ କ୍ଷେତ୍ରରେ ଲାଗୁ ହେବ । ନାମଲେଖା ସମ୍ପର୍କିତ ଅନ୍ୟ ନିୟମାବଳୀଗୁଡ଼ିକ ଅପରିବର୍ତ୍ତିତ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।