ମୋ’ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ ଦେଢ଼କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ମୋ କଲେଜ ଅଭିଯାନ ସର୍ତ୍ତାବଳୀ ଅନୁଯାୟୀ ଏହିସବୁ ଅନୁଷ୍ଠାନକୁ ସହାୟତା ଆକାରରେ ଯେତେ ଅର୍ଥ ମିଳିଛି, ସରକାର ତା’ର ଦୁଇଗୁଣ ଅର୍ଥ ପ୍ରଦାନ କରିଛନ୍ତି ବୋଲି
ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫-ଟି ଅଧୀନରେ ୪୦ଟି ମହାବିଦ୍ୟାଳୟର ରୂପାନ୍ତରଣ କରାଯିବ ବୋଲି ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଦ୍ୱରା ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ଅଧ୍ୟୟନ କରୁଥିବା ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚସ୍ତରୀୟ କ୍ୟାମ୍ପସ, ଶ୍ରେଣୀଗୃହ ଏବଂ ପରିବର୍ତ୍ତିତ ଶିକ୍ଷା
ଉପଲବ୍ଧ ହେବ ।
ସୂଚନାଯୋଗ୍ୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ସଫଳତା ପରେ ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରାତନ ଛାତ୍ରମାନଙ୍କୁ ଆହ୍ୱାନ କରିଛନ୍ତି । ଏଥିରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ ।