ଲକ୍ଷ୍ମୀପୂଜା କାର୍ତ୍ତିକ ବ୍ରତ ବଡ଼କୋଠି ପୂଜା ମହାଖଳା ପୂଜା

0 106

କାର୍ତ୍ତିକ ବ୍ରତ
ପବିତ୍ର କୁମାର ପୂର୍ଣ୍ଣମୀ । ଏହି ଅବରସରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଖେଳରେ ତାଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ୭ ଦିନ ବନ୍ଧା ହୋଇରହିବେ । ସାଧାରଣ ଚଳଣି ଓ ବିଶେଷ କରି ଓଡ଼ିଆ ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ବିଶେଷ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ । ଆସନ୍ତାକାଲିଠାରୁ ଏକ ମାସ ବ୍ୟାପୀ ପବିତ୍ର ମହାକାର୍ତ୍ତିକ ବ୍ରତ ଆରମ୍ଭ ହେବ । ଚଳିତ ବର୍ଷ କରୋନା ସଂକ୍ରମଣକୁ
ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

ବଡ଼କୋଠି ପୂଜା
ଯାଜପୁର ଜିଲ୍ଲା ରସୁଲ୍‍ପୁର ବ୍ଲକ୍‍ ଅନ୍ତର୍ଗତ ସଦାନନ୍ଦପୁର ଗାଁରେ ନିଆରା ଢଙ୍ଗରେ ପାଳିତ ହେଉଛି କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣମୀର ପୂର୍ବଦିନ ଏଠାରେ ଆକାଶରେ ଚାନ୍ଦ ଉଇଁବା କ୍ଷଣି ଗାଁର ସବୁ କୁମାରୀମାନେ ସଜବାଜ ହୋଇ ଗାଁ ଦାଣ୍ଡକୁ ଆସିଥା’ନ୍ତି । ସମସ୍ତଙ୍କ ହାତରେ କଇଁଫୁଲର ଚାଙ୍ଗୁଡ଼ା ଥାଏ । କୁମାରୀମାନେ କଇଁଫୁଲର ପାଖୁଡ଼ା ଯୋଡ଼ି ଗାଁ ଦାଣ୍ଡରେ ମିଳିତ ଭାବେ କୋଠିଚିତ୍ର ତିଆରି କରିଥା’ନ୍ତି । କବିସମ୍ରାଟ୍‍ ଉପେନ୍ଦ୍ର ଭଞ୍ଜଙ୍କ ରାଧାକୃଷ୍ଣ ପ୍ରେମ ବର୍ଣ୍ଣିତ ରେଖାଙ୍କିତ କାବ୍ୟ ଅନୁଯାୟୀ ଏହିସବୁ ଚିତ୍ର ଅଙ୍କନ
ହୋଇଥାଏ । ଏହାକୁ ବଡ଼କୋଠି ପୂଜା ବୋଲି ମଧ୍ୟ କୁହନ୍ତି ।


ମହାଖଳା ପୂଜା
ପୂର୍ଣ୍ଣମୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବୀଙ୍କ ପୂଜା କରାଯାଉଛି । ଜିଲ୍ଲାରେ ଆଜି ଦେବୀ ପରମେଶ୍ୱରୀ, ମାହେଶ୍ୱର ଏବଂ ଖମ୍ବେଶ୍ୱରୀଙ୍କ ମହାଖଳାପୂଜା ଅନୁଷ୍ଠିତ ହେଉଛି । ଅପରାହ୍ଣରେ ଦେବୀଙ୍କ ପ୍ରତୀକାତ୍ମକ ଛତିଚିତ୍ର ଓ ଆଲମ ପାରମ୍ପରିକ ବାଡ଼ି ଖେଳ ସହ ଗାଁ ଦେମୂଳ ପଡ଼ିଆକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ।

ଲକ୍ଷ୍ମୀପୂଜା
ଢେଙ୍କାନାଳ ସହରରେ କୋଭିଡ୍‍ କଟକଣା ସହ ବିନା ଭକ୍ତରେ ୩୮ଟି ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଛି । ତେବେ କୋଭିଡ୍‍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇ ନାହିଁ । ରୀତିନୀତି ଅନୁଯାୟୀ କଳସ ଯାତ୍ରା, ଘଟପୂଜା ଓ ମା’ଙ୍କ ଆବାହନ କରାଯାଇଛି । ଏବର୍ଷ ଢେଙ୍କାନାଳ ସହରର ମୀନା ବଜାର, ଗଣେଶ ବଜାର, ଗୁଡ଼ିଆନାଳିରେ ଚାନ୍ଦିମେଢ଼ କରାଯାଇଛି । କିନ୍ତୁ ମଣ୍ଡପଗୁଡ଼ିକୁ ଚାରିପଟକୁ ଗାଇଡ୍‍ଲାଇନ୍‍ ଅନୁସାରେ ଆବଦ୍ଧ କରାଯାଇଛି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬୮ଟି ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଜିଲ୍ଲାର ଗାଁଗହଳିରେ ବହୁ ମଣ୍ଡପ କରାଯାଇଥିଲେ ମଧ୍ୟ କରୋନା ପାଇଁ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଫିକା ପଡ଼ିଛି । ଅନୁଗୁଳରେ ମଧ୍ୟ ବିଧିରକ୍ଷା ପୂର୍ବକ ରୀତିନୀତି ଅନୁଯାୟୀ ବିଭିନ୍ନ ସ୍ଥାନରେ ଉତ୍ସବ ରହିତ ଗଜଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଛି ।

Leave A Reply