ସରସ୍ୱତୀ -ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା

0 2,724

ସରସ୍ୱତୀ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।

ସରସ୍ୱତୀ ପିତାମହ ବ୍ରହ୍ମାଙ୍କର ପତ୍ନୀ । ମାତ୍ର ବ୍ରହ୍ମାଙ୍କର ମୁଖରୁ ତାଙ୍କର ସୃଷ୍ଟି ହୋଇଥିବାରୁ ସେ ବ୍ରହ୍ମାଙ୍କର କନ୍ୟା ବୋଲି ମଧ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ସେଥିରେ କୁହାଯାଇଛି, ବ୍ରହ୍ମାଙ୍କ ହୃଦୟରୁ କାମଦେବ, ଭ୍ରୂଲତାରୁ କ୍ରୋଧ, ଅଧରୋଷ୍ଠରୁ ଲୋଭ ଏବଂ ଅନ୍ୟାନ୍ୟ ଅଙ୍ଗରୁ ସମୁଦ୍ରମାନେ ଓ ନିଋତି ଜାତ ହୋଇଥିଲେ । ସରସ୍ୱତୀ ଜାତ ହୋଇଥିଲେ ବ୍ରହ୍ମାଙ୍କ ମୁଖରୁ । ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣନା ଅଛି, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା ପରମ ରୂପବତୀ କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିଲେ । ତାହା ଶୁଣି କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।

Leave A Reply