ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍‍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ  ଦେଲେ ମୁଖ୍ୟମନ୍ତ୍ରୀ

0 482

ଭୁବନେଶ୍ୱର – ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍‍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ଆଜି ନିଜ ବାସଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୋ ସରକାର ନିରପେକ୍ଷ ତଦନ୍ତ ଉପରେ ବିଶ୍ୱାସ କରେ  । ତେଣୁ ବିରୋଧିଦଳ ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଘଟଣାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଏହି ପ୍ରସଙ୍ଗରେ ଗତ ତିନି ଦିନ ହେବ ବିଧାନସଭା ଭିତରେ ଓ ବାହାରେ ଉଭୟ ବିରୋଧି ବି.ଜେ.ପି ଓ କଂଗ୍ରେସ ସଭ୍ୟମାନେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିବା ସହିତ ପ୍ଲା କାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ପ୍ରଦର୍ଶନ କରିଥିଲେ ।

 

ଏପରିକି ଏ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିରୋଧି ସଦସ୍ୟମାନେ ହୋ-ହଲ୍ଲା ଜାରି ରଖିଥିଲେ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ନେଇ ଗୃହକାର୍ଯ୍ୟ ଚାଲିବା ସମ୍ଭବ ନ ହେବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ରଖିଥିଲେ । ପରେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ବିରୋଧୀ ଦଳ ପକ୍ଷରୁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ ଜୋର୍‍ ଧରିଥିଲା । ମିଳିଥିବା ସୂଚନା ଅନୁଯାୟୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଆଜି ବି.ଜେ.ପି. ମହିଳା ମୋର୍ଚ୍ଚା ପକ୍ଷରୁ ପରୀ ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେହିପରି ବାଲେଶ୍ୱର ଫାଣ୍ଡି ଛକ ଓ ନୟାଗଡ଼ରେ ମଧ୍ୟ ବି.ଜେ.ପି. ପକ୍ଷରୁ ବିକ୍ଷୋଭ କରାଯାଇଥିବାବେଳେ ଭୁବନେଶ୍ୱରରେ କଂଗ୍ରେସ ମଧ୍ୟ ଏ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା  । ଅପରାହ୍ଣ ଅଧିବେଶନରେ ଗୃହରେ ବିରୋଧୀ ସଦସ୍ୟମାନେ ପୂର୍ବାହ୍ନ ଭଳି ହଟ୍ଟଗୋଳ ଜାରି ରଖିଥିଲେ  । ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରୁ ନାହାନ୍ତି  । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ମଧ୍ୟ ଏସ୍‍.ଆଇ.ଟି. ତଦନ୍ତ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ  । ଆବଶ୍ୟକ ପଡ଼ିଲେ ଏସ୍‍.ଆଇ.ଟି. ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି  ।

 

ବିରୋଧୀ ଦଳଙ୍କ ଦାବିପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି  । ତେବେ ବିରୋଧୀ ଦଳ ନେତା ତାଙ୍କ ବକ୍ତବ୍ୟ ରଖିବା ପରେ ବି.ଜେ.ପି. ସଦସ୍ୟମାନେ ପୂର୍ବଭଳି ଗୃହ ମଧ୍ୟରେ ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ବିଭିନ୍ନ ଧ୍ୱନିମାନ ଦେଇଥିଲେ  । ମୋଟାମୋଟି ଭାବେ ଆଜି ବିଧାନସଭାରେ ଦିନତମାମ୍‍ ବିରୋଧୀ ବି.ଜେ.ପି. ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା  । ସେହିପରି ଶିଶୁକନ୍ୟା ପରି ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ କଂଗ୍ରେସ ସଦସ୍ୟମାନେ ଅଡ଼ି ବସିଥିବାବେଳେ ବି.ଜେ.ପି. ଏହି ଘଟଣାପାଇଁ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲା  । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରୁ କୌଣସି ନିର୍ଯ୍ୟାସ ମଧ୍ୟ ବାହାରି ପାରି ନ ଥିଲା  । ଏଥିଯୋଗୁଁ ଗୃହକାର୍ଯ୍ୟ ବାରମ୍ବାର ମୁଲତବୀ ହୋଇଥିଲା  । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତେ୍ୱ ବି ବିରୋଧୀ ସଦସ୍ୟମାନେ ଗୃହକାର୍ଯ୍ୟ ଚଳାଇ ଦେଇ ନ ଥିଲେ  । ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ  ।

Leave A Reply