କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟିତ
କଟକ : ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଟକର ବାଦାମବାଡ଼ିରେ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ରକୁ ଆଜି ଉଦ୍ଘାଟନ କରାଯାଇଛି । ଏହାକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଶକ୍ତି, ଶିଳ୍ପ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଓ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଏମ୍ ସେନ୍ବାଗମ୍ ଉଦଘାଟନ କରିଥିବା ବେଳେ କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ ଟିପିସିଓଡିଏଲ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କଂପାନିର ନିୟମିତ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ବୈଷୟିକ ଦକ୍ଷତାକୁ ସୁଦୃଢ଼ କରିବା ଏବଂ ସେଥିରେ ଉନ୍ନତି ଆଣିବା ପାଇଁ ବିକାଶମୂଳକ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟିପିସିଓଡିଏଲ୍ର ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିସି) କଟକ ସର୍କଲର ବିଭିନ୍ନ ସେକ୍ସନ, ସବ୍-ଡିଭିଜନ ଏବଂ ଡିଭିଜନ କାର୍ଯ୍ୟାଳୟର ଆବଶ୍ୟକତା ପୂରଣ କରିବ ।
ଏହି କେନ୍ଦ୍ରରେ ଶ୍ରେଣୀ ଗୃହ ପ୍ରଶିକ୍ଷଣ, ସମସ୍ତ ପ୍ରକାର ବଂଟନ ଉପକରଣର ଉନ୍ନତ ବ୍ୟବସ୍ଥା ରହିଛି ଏବଂ ଏଠାରେ କର୍ମଚାରୀମାନଙ୍କ ଲାଗି ସୁଯୋଗ ରହିଛି ଯେଉଁଠାରେ କର୍ମଚାରୀମାନେ ପ୍ରତ୍ୟକ୍ଷ ତାଲିମ ପାଇପାରିବେ । ପୂର୍ବରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଥିବା କେନ୍ଦ୍ର ଭଳି ଏହି କେନ୍ଦ୍ର ମଧ୍ୟ ଉଭୟ ଟିପିସିଓଡିଏଲ୍ ଏବଂ ଏହାର ବ୍ୟବସାୟ ସହଯୋଗୀମାନଙ୍କ ଶ୍ରମ ଶକ୍ତି ଏବଂ ବୈଷୟିକ କର୍ମଚାରୀମାନଙ୍କ ଲାଗି ଏକ ଶ୍ରେଷ୍ଠ ପ୍ଲାଟଫର୍ମ ସାବ୍ୟସ୍ତ ହେବ କାରଣ ଏହା ସହରାଚଂଳ ଓ ଗ୍ରାମାଚଂଳର କର୍ମଚାରୀମାନଙ୍କୁ ନୂଆ ପ୍ରକ୍ର୍ରି୍ରୟା ଶିଖିବା ଓ ତାହାର ଅଭ୍ୟାସ କରିବାରେ ସହାୟକ ହେବ ଯାହା ଜରିଆରେ ସେମାନେ ନିଜର ସାମଗ୍ରିକ ଦକ୍ଷତାକୁ ଆହୁରି ଶାଣିତ କରିପାରିବେ । ଏହାର ସମସ୍ତ୍ କର୍ମଚାରୀମାନଙ୍କ ଜ୍ଞାନ ଓ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ନିଜ ଲାଇସେନ୍ସପ୍ରାପ୍ତ ଅଂଚଳ ଅଧୀନରେ ଥିବା ଅବଶିଷ୍ଟ ତିନି ବିଦ୍ୟୁତ୍ ସର୍କଲ୍ରେ ଏଭଳି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ଲାଗି ଟିପିସିଓଡିଏଲ୍ ଯୋଜନା ରଖିଛି । ୨୦୨୨ ସେପ୍ଟେମ୍ବର ମାସରେ ଭୁବନେଶ୍ୱରଠାରେ ପ୍ରଥମ କେନ୍ଦ୍ରକୁ ଉଦ୍ଘାଟନ କରାଯାଇଥିଲା ।
“ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଥିବାରୁ ମୁଁ ଟିପିସିଡିଏଲ୍ର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ନିଶ୍ଚିତ ଯେ ଏହା ସେମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ଏବଂ ଯେକୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବ ବୋଲି ଓଡ଼ିଶା ସରକାରଙ୍କ ଶକ୍ତି, ଖଣି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।’’
“କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ଏକ ପ୍ଲାଟ୍ଫର୍ମ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ସ୍ୱୀକୃତି ସ୍ୱରୂପ ଆମର ଦ୍ୱିତୀୟ କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି । ସର୍ବଦା ଉଦୀୟମାନ ପ୍ରଯୁକ୍ତି ସହ ତାଳ ଦେଇ ଆଗକୁ ବଢ଼ିବା ସହ ଆମ ଗ୍ରାହକମାନଙ୍କୁ ଏକ ଭରସାଯୋଗ୍ୟ ଓ ସୁଦୃଢ଼ ଶକ୍ତି ଯୋଗାଣ ପାଇଁ ଆମେ ନିଜକୁ ସର୍ବଦା ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରୁଛୁ ବୋଲି ଟିପିସିଓଡିଏଲ୍ର ସିଇଓ ଶ୍ରୀ ଏମ୍ ସେନ୍ବାଗମ୍ କହିଛନ୍ତି ।
Comments are closed, but trackbacks and pingbacks are open.