ଦେଶରେ ପ୍ରଥମ ଥର ଲାଗି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆରମ୍ଭ ହୋଇଥିବା ଇଣ୍ଡିଆ ଟୟ ଫେୟାର-୨୦୨୧କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଏହି ଟୟ ଫେୟାର୍ରେ ଦେଶର ବିଭିନ୍ନ ରାଜ୍ୟର ଏକାଧିକ କଣ୍ଢେଇ ଶିଳ୍ପୀ, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ବହୁ ସଂଖ୍ୟକ ଉତ୍ପାଦକ, ବିତରକ, ହୋଲସେଲର୍ ଆଦି ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ଯୁଗଯୁଗର ପରମ୍ପରାକୁ ମଜବୁତ କରିବ । ୨୦୨୧ ଟୟ ଫେୟାରକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଭାରତରେ ନିର୍ମିତ ଅଧିକାଂଶ ଖେଳଣା ପ୍ରାକୃତିକ ପଦାର୍ଥରୁ ନିର୍ମିତ ହୋଇଥାଏ ଓ ସେଗୁଡ଼ିକର ପରିବେଶ ଉପରେ କୌଣସି କୁ-ପ୍ରଭାବ ପଡ଼ି ନଥାଏ ।
ଭାରତରେ ନିର୍ମିତ ଖେଳଣାଗୁଡ଼ିକରେ ବ୍ୟବହୃତ ରଙ୍ଗଗୁଡ଼ିକ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ । ପରିବେଶ ପାଇଁ ଉପଯୋଗୀ ହେଉଥିବା ଓ ମନଲୋଭା ହେବା ଭଳି ଖେଳଣାମାନ ନିର୍ମାଣ କରିବାକୁ ସେ ଖେଳଣା ନିର୍ମାଣକାରୀମାନଙ୍କୁ ଅନୁରୋଧ କରିଛନ୍ତି । ସେଗୁଡ଼ିକର ଯେଭଳି ପୁନଃ ବ୍ୟବହାର କରାଯାଇ ପାରିବ, ସେଥିପାଇଁ ସେଗୁଡ଼ିକୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ପ୍ରଥମ ଟୟ ଫେୟାର ଏକ ବ୍ୟବସାୟିକ କିମ୍ବା ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଦେଶରେ ଆମର ପରମ୍ପରା ଓ କ୍ରୀଡ଼ାକୁ ଉତ୍ସାହିତ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଖେଳାଣାଗୁଡ଼ିକ କେବଳ ମନୋରଞ୍ଜନ କରୁନଥିଲା, ଏଗୁଡ଼ିକ ମଧ୍ୟରେ ବହୁ ବୈଜ୍ଞାନିକ ସୂତ୍ର ଲୁକ୍କାୟିତ ହୋଇ ରହିଛି । ନଟୁ ଖେଳ ମାଧ୍ୟାକର୍ଷଣ ଶକ୍ତି ଓ ଗୁଲେଲ ଖେଳ କାଇନେଟିକ୍ ଏନର୍ଜି ବିଷୟରେ ଆମକୁ ଶିକ୍ଷା ଦେଇଥାଏ । ଖେଳଣାଗୁଡ଼ିକୁରୁ ପିଲାମାନେ ଅନେକ କିଛି ଶିଖୁଥିବାରୁ ପିତାମାତାମାନେ ପିଲାମାନଙ୍କ ସହ ଖେଳରେ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶର ୧ ହଜାରରୁ ଅଧିକ ପ୍ରଦର୍ଶନକାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି ।