ଫେକୁ ଏକ୍ସପ୍ରେସ ନାମକ ଏକ ଫେସବୁକ ପେଜ ରହିଛି । ଏହା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥାଏ । କେତେକ କ୍ଷେତ୍ରରେ ଏହାର ସମାଲୋଚନା ଗଠନମୂଳକ ଓ ସତ୍ୟଆଧାରିତ ଥିବାବେଳେ ଆହୁରି କେତେକ କ୍ଷେତ୍ରରେ ଏହା କେବଳ ସମାଲୋଚନା କରିବା ଲକ୍ଷ୍ୟରେ ସମାଲୋଚନା କରିଥାଏ ହୋଇଥାଉ ତାହା ସତ୍ୟଠାରୁ ଦୂରରେ । ଫେସବୁକରେ ଏହାକୁ ପ୍ରାୟ ୨ ଲକ୍ଷ ୩୧ ୫୩୪ ଜଣ ଲାଇକ କରୁଥିବାବେଳେ ଏହାର ଫଲୋଅର ସଂଖ୍ୟା ହେଉଛି ୨ ଲକ୍ଷ ୮୪ ହଜାର ।
କିନ୍ତୁ ଗତ ୬ ତାରିଖରେ ଏଥିରେ ପ୍ରକାଶିତ ଏକ ପୋଷ୍ଟରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି । ବାମ ପଟେ ଥିବା ଫଟୋରେ ମୋଦି ମହାତ୍ମା ଗାନ୍ଧିଙ୍କୁ ମାଲ୍ୟାର୍ପଣ କରୁଥିବାବେଳେ ଡାହାଣ ପଟେ ସେ ଗଡସେଙ୍କୁ ମାଲ୍ୟାର୍ପଣ କରୁଛନ୍ତି । ତଳେ ଲେଖା ଅଛି ଗାନ୍ଧି ଓ ଗାନ୍ଧିଙ୍କ ହତ୍ୟାହାରୀ । ଆହୁରି ମଧ୍ୟ ଲେଖା ଅଛି ଏହି ଲୋକ ପାଇଁ ଦୁଇପଦ କଥା ।

କିନ୍ତୁ ଏହି ଫଟୋକୁ ନେଇ ବିବାଦ ସୃଷ୍ଟି ହେବା ପରେ ସଂପୃକ୍ତ ଫେସବୁକ ପେଜରୁ ତାହାକୁ ପ୍ରତ୍ୟାହାର କରିନିଆଯାଇଛି । କିନ୍ତୁ ଉକ୍ତ ଫଟୋର ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କଲେ ଜଣାପଡେ ଯେ ଏହି ଫଟୋଟି ଗତ ଏପ୍ରିଲ ୬ ତାରିଖର । ସେଦିନ ବିଜେପିର ୩୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମୋଦି ଜନସଂଘ ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ । ଏହି ଫଟୋଟି ଇଣ୍ଟରନାସନାଲ ବିଜନେସ ଟାଇମ୍ସରେ ପ୍ରକାଶିତ ହୋଇଥିଲା । କିନ୍ତୁ ପଣ୍ଡିତ ଉପାଧ୍ୟାୟଙ୍କ ମୂର୍ତ୍ତିକୁ ଗଡସେଙ୍କ ମୂର୍ତ୍ତି ବୋଲି ଦେଖାଇ ମିଛ ଗୁଜବ ପରିବେଷଣ କରାଯାଇଛି । କେବଳ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଉଦ୍ଦେଶ୍ୟର ଏହି ମିଛ ଖବର ପ୍ରସାରିତ ହେଉଥିବା ମନେହୁଏ ।
(ସୌଜନ୍ୟ : ଅଲଟନ୍ୟୁଜ, ଇଣ୍ଟରନାସନାଲ ବିଜନେସ ଟାଇମ)