ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି । ଆଜି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସାମ୍ମାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯିବ । ସେହିପରି ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି ।
ଏଥିସହ ଶ୍ରୀ ପଣ୍ଡାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ଅଭିନୟ ଲାଗି ସରୋଜ ପରିଡ଼ାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି । ଅନ୍ୟପକ୍ଷରେ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲିଫିଲ୍ମ ଭାବେ ମନୋନୀତ ହୋଇଛି ।