ରାଜ୍ୟ କ୍ୟାବିନେଟ୍‍ ବୈଠକ-ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଏକାଧିକ ପ୍ରକଳ୍ପକୁ ଅନୁମୋଦନ

0 4,062

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ
ବିଭାଗ ସମ୍ପର୍କୀତ ୨୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‍ ପରିମାଣ ୧ଲକ୍ଷ ୭୦ହଜାର କୋଟି ଟଙ୍କା ହେବ । ଯାହାକି ୨୦୨୦-୨୧ ଆର୍ଥିକ ବର୍ଷଠାରୁ ପ୍ରାୟ ୧୩ ପ୍ରତିଶତ ଅଧିକ । ଆସନ୍ତା ୧୮ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଏହି ବଜେଟ୍‍ ଆଗତ କରିବେ ।

ସେହିପରି ସ୍ୱାମିନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରି କରିବା ତଥା ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣ କରିବାକୁ ପୂର୍ବରୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ପୁଣିଥରେ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଶିଳ୍ପ ବିଭାଗ ଠାରୁ ହସ୍ତଶିଳ୍ପ ବିଭାଗକୁ ଅଲଗା କରିବା ସମ୍ପର୍କୀତ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଥିବା ଜଣାଯାଇଛି ।
ହସ୍ତଶିଳ୍ପ ବିଭାଗକୁ ଏଣିକି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସହିତ ମିଶ୍ରଣ କରାଯିବ ।

ଗତକାଲି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଓଡ଼ିଶା ବିତ୍ତୀୟ ଉତ୍ତରଦାୟିତ୍ୱ ଓ ବଜେଟ୍‍ ପରିଚାଳନା ଆଇନ୍‍ ୨୦୦୫ ସଂଶୋଧନ
ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଦ୍ୱାରା କୋଭିଡ୍‍ ନାଇଣ୍ଟିନ୍‍ ପରିଚାଳନା, ଜନସାଧାରଣଙ୍କୁ ଗୁଣାତ୍ମକ ସେବା ପ୍ରଦାନ, ଦ୍ରବ୍ୟ ଓ
ସେବାକର ପ୍ରଚଳ ଦ୍ୱାରା ରାଜସ୍ୱ ହ୍ରାସ ବାବଦକୁ ଭରଣା ଏବଂ ରାଜ୍ୟସରକାରଙ୍କ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପୁଞ୍ଜି ବ୍ୟୟ ପାଇଁ ଆବଶ୍ୟକ
ଅଧିକ ସମ୍ବଳ ଉପଲବ୍ଧ ହୋଇପାରିବ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଏଣିକି ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପରି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ୟୁ.ଟି.) କୂଳପତିଙ୍କ କାର୍ଯ୍ୟକାଳ ମଧ୍ୟ ୫ ବର୍ଷ ପରିବର୍ତ୍ତେ ୪ ବର୍ଷ ହେବ । ଏହାଛଡ଼ା ବି.ପି.ୟୁ.ଟି. ଆଇନ୍‍ ୨୦୦୨ରେ ଅନ୍ୟ କେତେକ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ ଗତକାଲି ରାଜ୍ୟ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ରାଜ୍ୟ କ୍ୟାବିନେଟ୍‍ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଗତ କରାଯାଇଥିବା ରିବାର୍ଡ୍‍ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ବିଜ୍ଞାନ ସମ୍ମତ ଜଳ ବିଭାଜିକା ପରିଚାଳନା ପାଇଁ ଏହି ପ୍ରକଳ୍ପରେ ୫୦୦ କୋଟି ଟଙ୍କା ବ୍ୟୟ କରାଯିବ । ଏଥିମଧ୍ୟରୁ ୩୫୦ କୋଟି ଟଙ୍କା ଋଣ ଆକାରରେ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ସେହିଭଳି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲାରେ ଜଳସେଚନ ଲାଗି ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଛଡ଼ା ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଏକାଧିକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

Leave A Reply