ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବରୁ ଟିକେଟ ଦିଆଯାଇଛି । ଟିକେଟ ଦିଆଯାଇଥିବାରୁ ରବି ଶଙ୍କର ପ୍ରଧାନମନ୍ତ୍ରୀ ମୋଦି ଓ ଦଳୀୟ ସଭାପତି ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କର ଜଣେ ପ୍ରଖର ସମାଲୋଚକଭାବେ ଜଣାଶୁଣା ଶତ୍ରୁଘନ ପାଟନା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଗତ ଥର ଜିତିଥିଲେ । ସେ ବିଜେପିର ଲାଲକୃଷ୍ଣ ଆଡଭାନୀ ଶିବିରର ସମର୍ଥକ ଭାବେ ଜଣାଶୁଣା । ୨୦୧୪ରେ ମୋଦି ସରକାର ଆସିବା ପରେ ଦଳରେ ତାଙ୍କର ଗୁରୁତ୍ବ କମିଯାଇଥିଲା । ସେ ନିୟମିତଭାବେ ମୋଦି ଓ ଶାହାଙ୍କୁ ସମାଲୋଚନା କରିଆସୁଥିଲେ ଓ ରାହୁଲ ଗାନ୍ଧିଙ୍କୁ ପ୍ରସଂଶା କରିଆସୁଥିଲେ । ଏବେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ ସେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । କଂଗ୍ରେସରେ ଯୋଗ ଦେବା ବିଷୟରେ ସେ ପୂର୍ବରୁ ମଧ୍ୟ ସଂକେତ ଦେଇସାରିଛନ୍ତି । ସେହିପରି ଆଉ ଜଣେ ବିଦ୍ରୋହୀ ବିଜେପି ନେତା କୀର୍ତ୍ତି ଆଜାଦ ମଧ୍ୟ କଂଗ୍ରେସ ଟିକେଟ ପାଇବା ସମ୍ଭାବନା ରହିଛି ।