ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ – ୧୭ ତାରିଖରୁ ପୁଣି ବର୍ଷା

0 78

ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଆଜି ସକାଳେ ଚାନ୍ଦବାଲି ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତାକାଲି ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ । ସେ କହିଛନ୍ତି, ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୧୮ ତାରିଖ ସକାଳେ ଉତ୍ତର ଓଡ଼ିଶା ଉପକୂଳ ସ୍ପର୍ଶ କରିବ ।
ଏହାର ପ୍ରଭାବରେ ୧୭ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।


ତେବେ ଅଧିକ ପରିମାଣର ବର୍ଷା ହେବା ସମ୍ଭାବନା ନ ଥିବା ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୋମବାରରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଚାନ୍ଦବାଲିଠାରୁ ୩୦ କିଲୋମିଟର ଏବଂ କେନ୍ଦୁଝରଠାରୁ ୧୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଯାଇଥିବାବେଳେ ସମ୍ବଲପୁର, ଦେବଗଡ଼, ବୌଦ, ବରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ କହିଛି ।


ଏବେ ଏହା ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର, ଢେଙ୍କାନାଳ, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାପାଇଁ ରେଡ୍‍ ୱାର୍ଣ୍ଣିଂ ଜାରି କରିଛି । ଅନ୍ୟପକ୍ଷରେ ଏହାର ପ୍ରଭାବରେ ବଲାଙ୍ଗିର, ସୁନ୍ଦରଗଡ଼, ବୌଦ,
କେନ୍ଦୁଝର, ଖୋର୍ଦ୍ଧା, ଜଗତ୍‍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଓ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ରେକର୍ଡ଼ ପରିମାଣର ବର୍ଷା ହୋଇଛି । ପୁରୀ ଅସ୍ତରଙ୍ଗରେ ୫୩୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଜଗତ୍‍ସିଂହପୁରରେ ୪୪୦, କଟକ ୩୮୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।


ରାଜ୍ୟରେ ପ୍ରବାହିତ କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ହସ୍ତଗତ ହୋଇଛି । ନରାଜଠାରେ ମହାନଦୀର ଜଳସ୍ତର ୨୨ ଦଶମିକ ୪/୬ ମିଟର ଥିବାବେଳେ ଆଳିପିଙ୍ଗଳଠାରେ ଦେବୀ ନଦୀ ୩ ଦଶମିକ ୫/୯ ଫୁଟରେ ପ୍ରବାହିତ ହେଉଛି । ସେହିପରି ନିମାପଡ଼ାଠାରେ କୁଶଭଦ୍ରା, ସୁନ୍ଦରଗଡ଼ରେ ଇବ୍‍ ନଦୀ, ପାନପୋଷ୍‍ ଏବଂ ଜେନାପୁରରେ ବ୍ରାହ୍ମଣୀ, ଆଖୁଆପଦାରେ ବୈତରଣୀ, ବୁଢ଼ାବଳଙ୍ଗ, ରାଜଘାଟରେ ସୁବର୍ଣ୍ଣରେଖା, ଗୁଣୁପୁରରେ ବଂଶଧାରା, ପୁରୁଷୋତ୍ତମପୁରରେ ଋଷିକୁଲ୍ୟା
ଏବଂ ମଥାନୀଠାରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି, ଯାହାକି ୮୭ ବର୍ଷର ରେକର୍ଡ ଭଙ୍ଗ କରିଛି । ସେହିପରି ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ବିଶେଷ ଭାବରେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି, ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି ଏବଂ ୩ ଦିନର ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି । ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ
ଅବସ୍ଥାରେ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି ।


ଅନ୍ୟପକ୍ଷରେ ବର୍ଷାଜନିତ ପରିସ୍ଥିତିରେ ମୁକାବିଲା ଲାଗି ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ତଳିଆ ଅଞ୍ଚଳରୁ ଯଥାଶୀଘ୍ର ଜଳନିଷ୍କାସନ କରିବା ପାଇଁ କୁହାଯାଇଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ପ୍ରତି ସତର୍କ ରହିବାକୁ ମଧ୍ୟ ଏସ୍‍ଆରସି କହିଛନ୍ତି । ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ଖୋଲିବା ସହିତ ବିଡିଓ, ତହସିଲଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି ।


ସେହିଭଳି ବର୍ଷାକୁ ଦୃଷ୍ଟି ରଖି ଜଳସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି, ରାଜ୍ୟରେ ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି । ଆବଶ୍ୟକସ୍ଥଳେ ପାଟ୍ରୋଲିଂ କରାଯିବ ବୋଲି ସେ କହିଛନ୍ତି । ଯାଜପୁର ଜିଲ୍ଲାରେ ହାରାହାରି ୧୨୦ ମିଲିମିଟର ବର୍ଷା
ହୋଇଥିବା ରରେକର୍ଡ କରାଯାଇଛି । ଲଗାଣ ବର୍ଷାରେ ବଡଚଣା ବ୍ଳକ ସିହାଠାରେ ନିର୍ମିତ ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ନବ ନର୍ମିତ ପାଚେରି ଭାଙ୍ଗି ପଡିଛି ।
ପ୍ରବଳ ବର୍ଷା ଯୋଗୁଁ ନୟାଗଡ଼ ଜିଲାରେ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁଁ ଚାଳ ଓ ମାଟି ଘରେ
ରହୁଥିବା ଲୋକମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।


ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡ଼ି କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ବଡ଼ବେତରା ପଞ୍ଚାୟତର ବଡ଼ବେତରା ଗ୍ରାମର ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବଡ଼ବୋହୂ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ମେଡିକାଲ୍‍ରେ ଚିକିତ୍ସିତ ହେଉଛନ୍ତି । ସେହିପରି ବେଣୀପୁର
ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗ୍ରାମର ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।


ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ୧୨ଟି ଜିଲ୍ଲାରେ ଦୁଇଦିନ ପାଇଁ ସ୍କୁଲ୍‍ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ ଓ ଜଗତସିଂହପୁରରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

Leave A Reply