ଭୁବନେଶ୍ବର : ନିର୍ବାଚନ ଆଉ ଅଳ୍ପକିଛି ଦିନ ଥିବାବେଳେ ଓଡ଼ିଶାରେ ରାଜନୈତିକ ବାତାବରଣ ଉଷ୍ମ ହୋଇଚାଲିଛି । ଏବେ ବିଭିନ୍ନ ଦଳରେ ଟିକେଟ ଘୋଷଣା ଚାଲିଥିବାରୁ ନେତା ମାନଙ୍କ ଦଳ ଡିଆଁ ବୃଦ୍ଧି ପାଇଛି । ଟିକେଟ ନ ପାଇଁ ଅସନ୍ତୁଷ୍ଟ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ପୁଣି ନିରାଶ ନେତାମାନଙ୍କ ସମର୍ଥକମାନେ ଦଳ ବିରୋଧରେ ବିକ୍ଷୋଭ କରିବାକୁ ପଛଉ ନାହାନ୍ତି ।
ସବୁଠାରୁ ଅଧିକ ଅସନ୍ତୋଷ ଦେଖାଦେଇଛି ଶାସନ ବିଜେଡି ଦଳରେ । ବିଜେଡି ଟିକେଟ ପାଇନଥିବା କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ଦଳଛାଡି ଆଜି ବିଜେପିରେ ଯ଼ୋଗ ଦେଇଛନ୍ତି । ସେ କଂଗ୍ରେସ ରେ ଯ଼ୋଗଦେଉଛନ୍ତି ବୋଲି ଗତକାଲି ଆଲୋଚନା ହେଉଥିଲା, କିନ୍ତୁ ଆଜି ଏକ ନାଟକୀୟ ଘଟଣାକ୍ରମରେ ସେ ବିଜେପିରେ ଯ଼ୋଗ ଦେଇଛନ୍ତି । କିନ୍ତୁ ତାଙ୍କୁ କନ୍ଧମାଳ ଆସନ ପାଇଁ ଟିକେଟ ମିଳିବାର ସମ୍ଭାବନା ନାହିଁ ବୋଲି ବିଶ୍ବସ୍ତ ସୁତ୍ରରୁ ଜଣାପଡିଛି । କନ୍ଧମାଳ ପାଇଁ ବିଜେପି ଖାରବେଳ ସ୍ବାଇଁଙ୍କୁ ଟିକେଟ ଦେବାର ସମ୍ଭାବନା ରହିଛି । ପୂର୍ବରୁ ବିଜେଡିରୁ ବାହାରିଥିବା ଦାମ ରାଉତ, ବୈଜଯନ୍ତ ପଣ୍ଡା, ବଳଭଦ୍ର ମାଝି ପ୍ରମୁଖଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯ଼ାଇଛି ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ଶ୍ରୀ @dpradhanbjp, ଶ୍ରୀ @PandaJay, ଶ୍ରୀ @basantpandabjp ଏବଂ ଶ୍ରୀ @KVSinghDeo1ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ l pic.twitter.com/mROmbK57QT
— BJP Odisha (@BJP4Odisha) March 23, 2019
ସେପଟେ ଗତ କାଲି ବିଜେପି ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଏକାମ୍ର ଭୁବନେଶ୍ବର ବିଧାନସଭା ଆସନ ପାଇଁ ବିଜେପି ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ପ୍ରାର୍ଥୀ କରିଥିବାରୁ ଆଶାୟୀ ପ୍ରାର୍ଥୀ ଅମୀୟ ଦାସ ନିରାଶ ହୋଇଛନ୍ତି । ଏହାକୁ ନେଇ ଅମୀୟଙ୍କ ସମର୍ଥକମାନେ ଗତକାଲିଠାରୁ ଦଳୀୟ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୁଣି ବରଗଡ଼ ପାଇଁ ବିଜେପିର ପୁରୁଣା ନେତା ସୁବାଷ ଚୌହାନଙ୍କ ବଦଳରେ ସୁରେଶ ପୁଜାରୀଙ୍କୁ ପ୍ରାର୍ଥୀ କରିଥିବାରୁ ସୁବାଷଙ୍କ ସମର୍ଥକମାନେ ଆଜି ଦଳୀୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିବା ସହ ଦଳ ବିରୋଧୀ ସ୍ଲୋଗାନ ଦେଇଥିଲେ ।