ପିପିଲି ବିଧାନସଭା ଆସନ ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ଶେଷ-୭୫ ପ୍ରତିଶତ ମତଦାନ ହୋଇଥିବା ସୂଚନା

0 71

ପିପିଲି ବିଧାନସଭା ଆସନ ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ସମ୍ପୂର୍ଣ୍ଣ କୋଭିଡ୍‍ ଗାଇଡ୍‍ ଲାଇନ୍‍ ମଧ୍ୟରେ ଆଜି ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ଭୋଟରମାନେ ଧାଡିରେ ଯାଇ ସେମାନଙ୍କର ମତଦାନ କରିଥିଲେ । ୭୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଅପରାହ୍ନରେ ଭୋଟଦାନ ହାର ବୃଦ୍ଧି ପାଇଥିଲା । ତେବେ କେତେକ ମତଦାନ କେନ୍ଦ୍ରରେ ଇଭିଏମ୍‍ ମେସିନ୍‍ରେ ତ୍ରୁଟି ଦେଖାଦେବାରୁ କିଛି ସମୟ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ନୂଆ ଶାସନ ଦକ୍ଷିଣସାହିରେ ୨୦୩ ନମ୍ବର ବୁଥ୍‍, ଲକ୍ଷ୍ମୀନାରାୟଣପୁର ୧୬୧ ନମ୍ବର ବୁଥ ଏବଂ ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦର ୧୯୨ ଓ ୧୯୭ ନମ୍ବର ବୁଥ୍‍ରେ କିଛି ସମୟ ଲାଗି ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା ।

ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ଲାଗି ହ୍ୱିଇଲ୍‍ ଚେୟାର ଓ ଗାଡିର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିର୍ବାଚନାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଓ ମୁକ୍ତ ତଥା ଶାନ୍ତିପୂର୍ଣ୍ଣ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମସ୍ତ ପୁଲିଂ ବୁଥ୍‍ରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିର୍ବାଚନ ପରିଚାଳନା ପାଇ ଏସ୍‍.ପି., ଅତିରିକ୍ତ ଏସ୍‍.ପି., ଡି.ଏସ୍‍.ପି., ଇନିସପେକ୍ଟର ପାହ୍ୟାର ୩୫ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୧୬୩ ଜଣ ଏସ୍‍.ଆଇ., ଡେପୁଟି ଏସ୍‍.ଆଇ., ଡେପୁଟି ସୁବେଦାର, ଏ.ଏସ୍‍.ଆଇ. ପ୍ରମୁଖଙ୍କ ସମେତ ୭୩୬ଜଣ ହାବିଲଦାର, କନେଷ୍ଟବଳ ଆଦି ନିୟୋଜିତ ହୋଇଥିବା ବେଳେ ୩୦ ଜଣ ଏସ୍‍.ଆଇ. ଓ ଏ.ଏସ୍‍.ଆଇ. ପାହ୍ୟାର ଅଧିକାରୀଙ୍କ ସହ ୩୦ ସେକ୍ସନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା । ମତଦାନ ବାଧାପ୍ରାପ୍ତ ଆଶଙ୍କା ଥିବା ବୁଥ୍‍ରେ ତିନି କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ
କରାଯାଇଥିଲା । ଏହି ଉପନିର୍ବାଚନରେ ମୋଟ୍‍ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ଭୋଟବାକ୍ସଗୁଡିକୁ କଡା ସୁରକ୍ଷା ମଧ୍ୟରେ ପୁରୀ ନିଆଯାଇଥିଲା । ଆସନ୍ତା ୩ ତାରିଖରେ ଭୋଟ ଗଣନା କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି ।


କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଏମ୍‍. ଭୀରବ୍ରହ୍ମେୟା ଓ ଗୋପୀ ରେଡ୍ଡିଙ୍କ ସମେତ ଜିଲାପାଳ ସମର୍ଥ ବର୍ମା ଓ ପୁରୀ ଏସ୍‍.ପି. କନୱର ବିଶାଲ ସିଂହ ପ୍ରମୁଖ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‍ ପରିଦର୍ଶନ କରିବା ସହ ଭୋଟ୍‍ଗ୍ରହଣ ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

Leave A Reply