ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ସର୍ବସମ୍ମତିକ୍ରମେ ୪ଟି ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା । ପଞ୍ଚାୟତିରାଜ ଅନୁଷ୍ଠାନର ଅବଧି, ଗ୍ରାମ ପଞ୍ଚାୟତର ପୁନର୍ଗଠନ, ଭୋଟ୍ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟ୍ଗ୍ରହଣ ସମୟ ଅବଧି, ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ଖର୍ଚ୍ଚ ଆଦି ପ୍ରସଙ୍ଗ ଉପରେ ବିସ୍ତୃତଭାବେ ଆଲୋଚନା
ହୋଇଯାଇଛି । ନିର୍ବାଚନକୁ ମଦମୁକ୍ତ କରିବାପାଇଁ ପ୍ରତ୍ୟେକ ଦଳ ଗୁରୁତ୍ୱାରୋପ କରିଥିଲେ । ସେଥିପାଇଁ ନିର୍ବାଚନର ୭ ଦିନ ପୂର୍ବରୁ ମଦବିକ୍ରିକୁ ବନ୍ଦ୍ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଏଥିସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶି ବୃଦ୍ଧିକ କରିବାକୁ ପ୍ରସ୍ତାବ ଦିଆଯାଇଛି । ମତଦାନ ଅବଧି ପୂର୍ବାପେକ୍ଷା ୨ ଘଣ୍ଟା ବୃଦ୍ଧି କରିବାକୁ ସମସ୍ତ ପ୍ରତିନିଧି ଦାବି କରିଥିଲେ ।
ସରପଞ୍ଚ ଏବଂ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚକୁ ପୂର୍ବାପେକ୍ଷା ଦୁଇଗୁଣବା ୨ ଲକ୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଜିଲ୍ଲା ପରିଷଦଙ୍କ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ ଆସିଥିବା ପ୍ରସ୍ତାବକୁ ସମୀକ୍ଷା କରାଯାଇ ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।
ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ ସ୍ଥାନ ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ କରିଛନ୍ତି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୧୮ଟି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏଥିମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଓ ସୋନପୁର ଏହି ୪ଟି ଜିଲ୍ଲାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଛି । ସେହିଭଳି ଅନୁସୂଚିତ ଜାତି ପାଇଁ କଟକ, ଜଗତ୍ସିଂହପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ, ରାୟଗଡା, ମାଲକାନଗିରି, ମୟୂରଭଞ୍ଜ, ବାଲେଶ୍ୱର, ନବରଙ୍ଗପୁର, ଗଜପତି, କୋରାପୁଟ, କେନ୍ଦୁଝର ଓ କନ୍ଧମାଳ ଭଳି ୧୦ଟି ଜିଲ୍ଲାର ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି । ତେବେ କେନ୍ଦ୍ରାପଡା, ଝାରସୁଗୁଡା, ଦେବଗଡ, ପୁରୀ, ବଲାଙ୍ଗୀର ଓ ସମ୍ବଲପୁର ଭଳି ୬ଟି ଜିଲ୍ଲା ପାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇନାହିଁ । ତେବେ ମହିଳାଙ୍କ ପାଇଁ ଜିଲ୍ଲାପରିଷଦର
୧୫ଟି ଅଧ୍ୟକ୍ଷ ପଦ ରହିଛିଟ୍ଟ ଯାହାକି ରାଜ୍ୟର ମୋଟ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦର ୫୦ ପ୍ରତିଶତ ରହିଛି ।