ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା:ଓଡ଼ିଶା ଶିଳ୍ପ ବିଭାଗର ପ୍ରମୁଖ ସଚିବ

76

ଭୁବନେଶ୍ୱର: ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ଖଣି ଜଗତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ଖଣି ରାଜସ୍ୱରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯାହା କି ଗତ ବର୍ଷ ୧୦,୦୦୦ କୋଟି ଟଙ୍କାରୁ ୪୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ଅଭିବୃଦ୍ଧି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସକାରାତ୍ମକ ଧାରା ଜାରି ରଖିବାକୁ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି ।

ଭୁବନେଶ୍ୱରରେ ଆୟୋଜିତ ଜାତୀୟସ୍ତରୀୟ ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ଜେନା ରାଜ୍ୟର ବିକାଶରେ ଅଂଶଗ୍ରହଣ କରିବାକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିଥିଲେ । ଶିଳ୍ପ ନୀତି ସଂକଳ୍ପ (ଆଇପିଆର)ରେ ଦିଆଯାଇଥିବା ବିଭିନ୍ନ ପ୍ରୋତ୍ସାହନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଚଳିତ ଦଶନ୍ଧି ଶେଷ ସୁଦ୍ଧା ଓଡ଼ିଶା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେବାର ମହତ୍ୱାକାଂକ୍ଷୀ ଯୋଜନା ରହିଛି ଏବଂ ଆଲୁମିନିୟମ ଶିଳ୍ପର ଅନେକ ପ୍ରମୁଖ କମ୍ପାନୀ ରାଜ୍ୟରେ ୟୁନିଟ୍ ସ୍ଥାପନ କରୁଛନ୍ତି । ଏହି ବିକାଶ ଦ୍ୱାରା ଖଣି କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଖଣି ଅଭ୍ୟାସକୁ ପ୍ରାଥମିକତା ଦେବା ଜରୁରୀ ହେବ ବୋଲି ସେ କହିଛନ୍ତି ।

ଏହି ସମ୍ମିଳନୀରେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ ଦେଶର ଭିତିଭୂମି ବିକାଶ ଉପରେ ଆଲୋଚନା କରିଥିଲେ । ୮% ଅନ୍ତର୍ଜାତୀୟ ମାନକ ତୁଳନାରେ ଲଜିଷ୍ଟିକ୍ ଖର୍ଚ୍ଚ ଜାତୀୟ ଜିଡିପିର ୧୪% ମିଳିଥାଏ ବୋଲି ଉଲ୍ଲେଖ କରି ସେ ଏହି ଖର୍ଚ୍ଚକୁ ହ୍ରାସ କରିବା ଲାଗି ନୀତିର ଜରୁରୀକାଳୀନତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଭାରତରେ ଗବେଷଣା ଏବଂ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟର ରାଜନୈତିକ ସ୍ଥିରତା ଏବଂ ଦକ୍ଷ ଶ୍ରମଶକ୍ତି ଉପରେ ଆଲୋକପାତ କରି ଏହାକୁ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଥିବା କହିଥିଲେ । ୨୦୨୩ ଆର୍ôଥକ ବର୍ଷରେ ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ଓ ସମାନ ସମୟ ମଧ୍ୟରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ଆକୃଷ୍ଟ କରିବାରେ ତୃତୀୟ ସ୍ଥାନରେ ରହିଛି ବୋଲି ସେ ରେଖାଙ୍କିତ କରିଥିଲେ ।

ଦେଶର ଖଣିଜ ଉତ୍ପାଦନର ମୋଟ ମୂଲ୍ୟର ୧୩.୮% ଓଡ଼ିଶା ଉତ୍ପାଦନ କରେ ବୋଲି ସେ ଦର୍ଶାଇଥିବା ବେଳେ ରାଜ୍ୟର ଜିଏସଡିପିରେ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରର ଅବଦାନ ୧୩%ରୁ ଅଧିକ ରହିଛି । ରାଜ୍ୟରେ ଇସ୍ପାତ ଉତ୍ପାଦନ ବର୍ତମାନର କ୍ଷମତା ୩୪ ଏମଏମଟିରୁ ୨୦୩୦ରେ ୧୩୮ ଏମଏମଟିକୁ ବୃଦ୍ଧି ପାଇବ । ସେହିପରି ଆଲୁମିନିୟମ ଉତ୍ପାଦନ କ୍ଷମତା ବର୍ତମାନର ୨.୬୪ ଏମଏମଟି କ୍ଷମତାରୁ ୨୦୩୦ରେ ୩.୮୪ ଏମଏମଟିକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ସେ ଖଣିଜ ପଦାର୍ଥର ଦୀର୍ଘମିଆଦୀ ସଂଯୁକ୍ତ ନୀତି ବିଷୟରେ ଉଲ୍ଲେଖ କରିଥିଲେ ।

ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରେ ଖଣି ଓ ଶିଳ୍ପର ଉଲ୍ଲେଖନୀୟ ଅବଦାନ ଯଥାକ୍ରମେ ୧୩ ପ୍ରତିଶତ ଓ ୪୦ ପ୍ରତିଶତ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାର ଭିତିଭୂମି ପ୍ରକଳ୍ପଗୁଡ଼ିକ ରାଜ୍ୟର ଖଣିଜ ଓ ଶିଳ୍ପ କ୍ଷେତ୍ର ସହିତ ସଡ଼କ, ରେଳ, ବନ୍ଦର ଏବଂ ପାଇପ୍ ଲାଇନ୍ ସଂଯୋଗ କରିବା ପାଇଁ ରଣନୀତିକ ଭାବେ ଯୋଜନା କରାଯାଇଛି ।

ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଇଏଏସ୍ ଡି.କେ.ସିଂହ, ଦର୍ଶକମାନଙ୍କୁ ପରିବେଶ ଅବକ୍ଷୟର ଚିନ୍ତା ବିଷୟରେ ଅବଗତ କରାଇବା ସହ ସ୍ଥାୟୀତ୍ୱ ଏବଂ ଆନ୍ତଃ-ପିଢ଼ିର ସମାନତା ବିଷୟରେ ଆଲୋଚନା କରିବା ସହ ପରିବେଶ ଅନୁକୂଳ ଖଣିକୁ ପ୍ରୋତ୍ସାହିତ କରୁଥିବା ଦକ୍ଷ ଭିତିଭୂମିର ଉପଯୋଗ କରିବାକୁ ଖଣି ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ ।

ସିଆଇଆଇ ପୂର୍ବାଚଂଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ ପୁଞ୍ଜିନିବେଶକୁ ସୁଗମ କରିବା ପାଇଁ ଆଂଚଳିକ ପ୍ରତିବନ୍ଧକ ଦୂର କରିବା ରେ ଓଡ଼ିଶା ସରକାର, ସିଆଇଆଇ ଏବଂ ଶିଳ୍ପସଂସ୍ଥାଗୁଡ଼ିକର ମିଳିତ ପ୍ରୟାସକୁ ସ୍ୱୀକାର କରିଛନ୍ତି । କେବଳ ମେକ୍ ଇନ୍ ଇଣ୍ଡିଆ ନୁହେଁ ବରଂ ବିଶ୍ୱ ରପ୍ତାନି ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ କମ୍ ଶ୍ରମ ଖର୍ଚ୍ଚରେ କୁଶଳୀ ଶ୍ରମିକଙ୍କ ପ୍ରତିଯୋଗିତାମୂଳକ ଲାଭ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ସିଆଇଆଇ ଏମସିଇଡିର ଅଧ୍ୟକ୍ଷ ବିବେକ ଭାଟିଆ ଖଣି ଏବଂ ନିର୍ମାଣ ଶିଳ୍ପର ବିଶ୍ୱସ୍ତରୀୟ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାର ମୂଲ୍ୟ ୨୦୨୧ରେ ୧୨୧ ବିଲିୟନ ଡଲାର ଥିଲା ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ୬୨ ବିଲିୟନ ଡଲାର ଯୋଗଦାନ ଦେଇଥିଲା । ୨୦୨୮ ସୁଦ୍ଧା ଏହି କ୍ଷେତ୍ରର ଅଭିବୃଦ୍ଧି ହାର ୨.୮ ପ୍ରତିଶତ ସହ ୧୯୦ ବିଲିୟନ ଡଲାରରେ ପହିଂଚିବାର ସମ୍ଭାବନା ରହିଛି ବୋଲି ସେ ଦର୍ଶାଇଥିଲେ । ଭାଟିଆ ଭାରତର ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବାରେ ଏହି କ୍ଷେତ୍ରର ଭୂମିକା ଏବଂ ଏହା ଦ୍ୱାରା ପ୍ରଦାନ କରୁଥିବା ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ । ବର୍ତମାନ ଖଣି କ୍ଷେତ୍ରରେ ୩.୫ ନିୟୁତ ଲୋକ ନିୟୋଜିତ ଅଛନ୍ତି । ଭାରତର ପୂର୍ବାଚଂଳରେ ୭ଟି ରାଜ୍ୟ ଖଣିଜ ଉତ୍ପାଦନରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ବେଳେ ଓଡ଼ିଶା ୪୨ ପ୍ରତିଶତ ସହ ଶୀର୍ଷରେ ଥିବା ବେଳେ ଛତିଶଗଡ଼ ଓ ଝାଡ଼ଖଣ୍ଡ ଯଥାକ୍ରମେ ୧୭ ପ୍ରତିଶତ ଓ ୪.୩ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଯନ୍ତ୍ରୀ ମେଜର ଜେନେରାଲ ପ୍ରବୀଣ ବଦ୍ରିନାଥ, ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଡି.କେ.ସିଂହ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.