୨୬ ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (BLS) ୧୦୮ ଆମ୍ୱୁଲାନ୍ସର ଲୋକାର୍ପଣ

82

ଭୁବନେଶ୍ୱର,୪.୧୦.୨୦୨୩ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ୨୬ ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (BLS) ଆମ୍ୱୁଲାନ୍ସକୁ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି ।

ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବା ୫.୦୩.୨୦୧୩ ରିଖ ଦିନ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ୱୁଲାନ୍ସ ସାରା ରାଜ୍ୟରେ ୩୦ ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରେ ୨୧୩ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ୱୁଲାନ୍ସ(BLS), ୪୧୧ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ୱୁଲାନ୍ସ (ALS) ଓ ୬ ଗୋଟି ବୋଟ୍ ଆମ୍ୱୁଲାନ୍ସ  ଅନ୍ତର୍ଭୁକ୍ତ । 

୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ରାଜ୍ୟରେ ୫୦୦ଟି “ଜନନୀ ଏକ୍ସପ୍ରେସ୍” ଆମ୍ୱୁଲାନ୍ସର ମଧ୍ୟ ବ୍ୟବସ୍ଥା ରହିଅଛି ।

ପ୍ରତିଦିନ ହାରାହାରି ୪୦୦୦ରୁ  ଅଧିକ ସଂଖ୍ୟକ  ରୋଗୀ ଏହି ୧୦୮ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବା ଏବଂ ଜନନୀ ଏକ୍ସପ୍ରେସ୍ ଆମ୍ୱୁଲାନ୍ସ ସେବା ଦ୍ୱାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । 

ରାଜ୍ୟରେ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର‌୍ୟ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି । 

ଏହି ଅବସରରେ ଜିକିତ୍ସା ହେଲ୍ଥକେୟାର ଲିମିଟେଡ୍ (ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା ଏଜେନ୍ସି)ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଜରୁରୀକାଳୀନ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ରୋଗୀ ସେବା ପାଇଁ ଆମେ ସର୍ବଦା ବଦ୍ଧପରିକର ରହିଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମର୍ପିତ ୨୬ଟି ନୂତନ ଆମ୍ବୁଲାନ୍ସ ଏହି କାର୍ଯ୍ୟ ଧାରାରେ ଏକ ବୃହତ ପରିବର୍ତ୍ତନ ଆଣିବ । ଏହି ନୂଆ ବିଏଲଏସ ଆମ୍ବୁଲାନ୍ସ ଆମର ତୁରନ୍ତ ରୋଗୀ ସେବା ଯୋଗାଇବା ସହ, ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ପ୍ରଦର୍ଶନରେ ଉନ୍ନତି ଆଣିବ।

ଏହି ପର୍ଯ୍ୟାୟରେ ୨୬ ଗୋଟି ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଉଛି ଓ ଏହି ୨୬ ଗୋଟି ନୂତନ ଆମ୍ବୁଲାନ୍ସ ନିମନ୍ତେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଆବଶ୍ୟକୀୟ ଉପକରଣ ଇତ୍ୟାଦି ସହ ଆମ୍ୱୁଲାନ୍ସ ପ୍ରତି ୪୨ ଲକ୍ଷ ଟଙ୍କା ହିସାବରେ ହାରାହାରି ୧୦. ୯୨କୋଟି ଟଙ୍କା ବିନିଯୋଗ କରାଯାଇଅଛି ।

Comments are closed, but trackbacks and pingbacks are open.