ଏବେ ବନ୍ୟାର ସମ୍ଭାବନା ନାହିଁ
ଭୁବନେଶ୍ୱର – ସମ୍ପ୍ରତି ରାଜ୍ୟରେ ବନ୍ୟାର କୌଣସି ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା କହିଛନ୍ତି । ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ନାହିଁ । ପ୍ରାୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତଠାରୁ ବହୁ ତଳେ ରହିଛି । ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ପଶ୍ଚିମ ଓଡ଼ିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ସମସ୍ତ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ନଦୀର ଜଳସ୍ତର କମିବାରେ ଲାଗିଛି ।
ଅନ୍ୟ ପକ୍ଷରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ବଡଧରଣର ବର୍ଷା ନାହିଁ । ଅପରପକ୍ଷରେ ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ ଆଜି ସନ୍ଧ୍ୟାସୁଦ୍ଧା କଟକର ମୁଣ୍ଡଳୀଠାରେ ପହଞ୍ôଚବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଲଘୁଚାପଜନିତ ବର୍ଷା ଯୋଗୁଁ ବଲାଙ୍ଗୀରରେ ବନ୍ୟାସ୍ଥିତି ଉପୁଜିଥିଲା । ବର୍ତ୍ତମାନ ବଲାଙ୍ଗୀରରେ ୫୬ଟି କ୍ୟାମ୍ପରେ ୧୯ହଜାର ଲୋକଙ୍କୁ ରଖାଯାଇଛି, ସୁବର୍ଣ୍ଣପୁରରେ ୩ହଜାର ୯୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି ବୋଲି ଯୁଗ୍ମ ରିଲିଫ କମିଶନର ସୂଚନା ଦେଇଛନ୍ତି ।