ମହିଳାମାନଙ୍କ ପାଇଁ ଶୁଭାରମ୍ଭ ହେଲା ଉଦ୍ୟମ ଶକ୍ତି ପୋର୍ଟାଲ

0 544

ନୂଆଦିଲ୍ଲୀ:ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ମହିଳା ଉଦ୍ୟୋଗୀମାନଙ୍କ ସକାଶେ ଏକ ପୋର୍ଟାଲ୍‌ (www.udyamsakhi.org)ର ଶୁଭାରମ୍ଭ କରାଯାଇଛି । ଏମଏସଏମଇ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଗିରିରାଜ ସିଂହ ଆଜି ନୂଆଦିଲ୍ଲୀର ଆମ୍ବେଦକର ଷ୍ଟାଡ଼ିଅମଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଲେ ଯେ ଦେଶର ୮୦ ଲକ୍ଷ ମହିଳା ଉଦ୍ୟୋଗୀ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିଛନ୍ତି ଅଥବା ତାହା ଚଳାଇ ଆସୁଛନ୍ତି । ଏମଏସଏମଇ ମନ୍ତ୍ରଣାଳୟର ବିଶ୍ୱାସ ଯେ ଦେଶର ବିକାଶ ତଥା ଜାତୀୟ ଅର୍ଥନୀତିର ଅଭିବୃଦ୍ଧିରେ ଭାରତୀୟ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।

ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ଏହି ପୋର୍ଟାଲ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କର ନେଟୱାର୍କିଂ ହୋଇପାରିବ ଏବଂ ସେମାନେ ଅନ୍ୟମାନଙ୍କ ଠାରୁ ସେମାନଙ୍କର ବ୍ୟବସାୟିକ ମଡ଼େଲ ଗ୍ରହଣ କରିପାରିବେ । ସେହିଭଳି ସ୍ୱଳ୍ପମୂଲ୍ୟର ଉତ୍ପାଦ ଓ ସେବା ପ୍ରଦାନ ଦିଗରେ ସେମାନଙ୍କୁ ଏହା ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଜରିଆରେ ମହିଳାମାନେ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ତଥା ସ୍ୱୟଂସଂପୂର୍ଣ୍ଣ ହୋଇପାରିବେ । ଏହି ପ୍ଲାଟଫର୍ମ ଜରିଆରେ ମହିଳା ଉଦ୍ୟୋଗୀମାନେ ବିଭିନ୍ନ ପ୍ରକାର ଶୈକ୍ଷିକ ଉପକରଣ, ଇନକୁବେସନ୍‌ ଫାସିଲିଟି, ତାଲିକ କାର୍ଯ୍ୟକ୍ରମ, ପାଣ୍ଠି ସଂଗ୍ରହ, ମେଣ୍ଟର ଯୋଗାଣ, ଏକକ ଭିତ୍ତିରେ ନିବେଶକ ସାକ୍ଷାତ, ବଜାର ସର୍ଭେ ସୁବିଧା ତଥା ବୈଷୟିକ ସୁବିଧାସୁଯୋଗ ହାସଲ କରିପାରିବେ ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଏମଏସଏମଇ ସଚିବ ଡ଼କ୍ଟର ଅରୁଣ କୁମାର ପଣ୍ଡା ମହିଳା ଉଦ୍ୟୋଗୀମାନଙ୍କୁ ଏଭଳି ସରକାରୀ ବ୍ୟବସ୍ଥାର ପୂର୍ଣ୍ଣ ସୁଯୋଗ ନେବା ସକାଶେ ଆହ୍ୱାନ ଜଣାଇଥିଲେ । ଏମଏସଏମଇ ସେକ୍ଟରକୁ ସରକାର ଅଧିକ ସକ୍ରିୟ କରିବା ସକାଶେ ସକଳ ପ୍ରକାର ପ୍ରୟାସ କରୁଛନ୍ତି । ଖଦି ଠାରୁ ଆରମ୍ଭ କରି ଗ୍ରାମ୍ୟ ଓ କତା ଶିଳ୍ପ ଆଦି କ୍ଷେତୟ୍ରରେ ସରକାର ସବୁ ପ୍ରକାର ବିକାଶ କରୁଛନ୍ତି । ସଂପୃକ୍ତ ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ସରକାର ଏବଂ ଅନ୍ୟ ସହଭାଗୀମାନଙ୍କ ସହ ତାଙ୍କ ମନ୍ତ୍ରଣାଳୟ ସମନ୍ୱୟ ଓ ଯୋଗସୂତ୍ର ରକ୍ଷା କରୁଛି ବୋଲି ସେ ସୂଚାଇଥିଲେ । ଏହି କାର୍ଯ୍ୟକ୍ରମରେ ଏମଏସଏମଇ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଳକା ଅରୋରା, ଅତିରିକ୍ତ ଉନ୍ନୟନ କମିଶନର ଅନନ୍ତ ଶେରଖାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply