ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର କେ ସିଂ ଆଜି ଜାତୀୟ ଇ-ମୋବିଲିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମଗ୍ର ଇ-ମୋବିଲିଟି ପରିସ୍ଥାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ସାମିଲ ରହିଛନ୍ତି ଯାନବାହାନ ନିର୍ମାତା, ଭିତ୍ତିଭୂମି ନିର୍ମାଣକାରୀ କମ୍ପାନୀ, ଫ୍ଲିଟ ଅପରେଟର, ସେବା ପ୍ରଦାନକାରୀ ଇତ୍ୟାଦି । ଏହି କାର୍ଯ୍ୟକ୍ରମକୁ ଶକ୍ତି ସାମର୍ଥ୍ୟ ସେବା ଲିମିଟେଡ (EESL) ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହା ଚାହିଦା ମୁତାବକ ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ପରିମାଣରେ ଇଲେକ୍ଟ୍ରିକ କାର କ୍ରୟ କରିବ । ଏହି ବୈଦ୍ୟୁତିକ ଯାନଗୁଡ଼ିକ ବର୍ତ୍ତମାନର ପେଟ୍ରୋଲ ଏବଂ ଡିଜେଲ ଯାନ ପରିବର୍ତ୍ତେ ବ୍ୟବହାର କରାଯିବ । ଗତବର୍ଷ ଇଇଏସଏଲ 10,000 ଇ-ଯାନ କ୍ରୟ କରିଥିଲା ଏବଂ ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ଆହୁରି ଅଧିକ 10,000 ଇ-ଭେଇକିଲ କ୍ରୟ କରିବା ପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ୱାନ କରିବ । ଏହି 20,000 ଇଲେକ୍ଟ୍ରିକ କାର ସହିତ ଭାରତ ପ୍ରତିବର୍ଷ 5 କୋଟି ଲିଟରର ଜାଳେଣି ସଂଚୟ କରିବାର ଆଶା କରାଯାଉଛି । ଏହା ଫଳରେ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନକୁ 5.6 ଲକ୍ଷ ଟନ ହ୍ରାସ କରାଯାଇ ପାରିବ ।
ମନ୍ତ୍ରୀ ଇଇଏସଏଲକୁ 10,000 ଇ-ଭେଇକିଲ ନେଇ ଏହାର ନୂତନ ଟେଣ୍ଡର ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହା ଉଭୟ ପରିବେଶ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ସାଧାରଣ କାରରେ କିଲୋମିଟର ପିଛା ଖର୍ଚ୍ଚ 6.5 ଟଙ୍କା ଥିଲା ବେଳେ ବୈଦ୍ୟୁତିକ କାରରେ ଏହି ଖର୍ଚ୍ଚ ମାତ୍ର 85 ପଇସା । ଏହାର ବ୍ୟବହାର ଫଳରେ ପେଟ୍ରୋଲିୟମ ଆମଦାନୀ ନେଇ ଆମର ସ୍ୱାୟତତା ବୃଦ୍ଧି ପାଇବାରେ ସହାୟକ ହେବ ।
ଇଇଏସଏଲ ଦ୍ୱାରା 50 ଲକ୍ଷ ଏଲଇଡି ଷ୍ଟ୍ରିଟଲାଇଟ ଲଗାଯିବାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି ମନ୍ତ୍ରୀ ଶକ୍ତି ସାମର୍ଥତା କ୍ଷେତ୍ରରେ 2015 ରେ ପ୍ୟାରିସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱକୁ ଦୋହରାଇଥିଲେ । ସେ କହିଲେ ଯେ ‘ସ୍ୱସ୍ଥ ଭାରତ, ସ୍ୱସ୍ଥ ଦେଶ’ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଭାରତ ଏକ ଦାୟିତ୍ୱବାନ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଉନ୍ନିତ ହେବା ପାଇଁ ଲକ୍ଷ୍ୟ ରଖିଛି । ଏକ ସମୃଦ୍ଧ ବିଶ୍ୱ ନିର୍ମାଣ କରିବା ହେଉଛି ଏହାର ଦୀର୍ଘମିଆଦି ଲକ୍ଷ୍ୟ ।
‘ଭବିଷ୍ୟତ ହେଉଛି ବୈଦ୍ୟୁତିକ’ ବୋଲି ପ୍ରକାଶ କରି ମନ୍ତ୍ରୀ କହିଲେ ଯେ ଉନ୍ନତ ବିଶ୍ୱର ଅଧିକାଂଶ ଉନ୍ନତ ରାଷ୍ଟ୍ରରେ ବୈଦ୍ୟୁତିକ ବ୍ୟବସ୍ଥାରେ ରୋଷେଇ କାର୍ଯ୍ୟ କରାଯାଉଛି ଏବଂ ଅଧିକାଂଶ ରାଷ୍ଟ୍ର ଡିଜେଲ ମାଧ୍ୟମରେ ଚାଳିତ ସେମାନଙ୍କର ଯାନ ବାହାନକୁ ଅପସାରିତ କରିବା ନେଇ ତାରିଖ ଘୋଷଣା କରି ସାରିଛନ୍ତି । ଏପରିକି ଆମ ଆଇଆଇଟି ଟିମ ମଧ୍ୟ ବୈଦ୍ୟୁତିକ ରୋଷେଇ ପ୍ରକ୍ରିୟାର ବିକାଶ କରିଛନ୍ତି ଏବଂ ଆମେ ଆଗାମୀ ସମୟରେ ଏହି ବୈଦ୍ୟୁତିକ ବ୍ୟବସ୍ଥା ମାଧ୍ୟମରେ ପରିବେଶ ପ୍ରଦୂଷଣକୁ ହ୍ରାସ କରିପାରିବା । ଭାରତର ବିକାଶର ଅଂଶବିଶେଷ ହେବା ପାଇଁ ସେ ଉଦ୍ୟୋଗ ଗୁଡ଼ିକୁ ଆହ୍ୱାନ କରି କହିଥିଲେ ଯେ, “ଉଦ୍ୟୋଗ ମାନଙ୍କୁ ମୋର ବାର୍ତ୍ତା ହେଉଛି ଆସନ୍ତୁ ଇ-ଭେଇକିଲ ଏବଂ ବ୍ୟାଟେରୀ ନିର୍ମାଣରେ ପୁଞ୍ଜି ନିବେଶ କରନ୍ତୁ ।”
ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ଶକ୍ତି ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା କହିଲେ ଯେ ସରକାର ଚାର୍ଜିଂ ଭିତ୍ତିଭୂମି ଏବଂ ନୀତିଗତ ଢ଼ାଂଚା ନିର୍ମାଣ ଉପରେ ଧ୍ୟାନ ଦେଉଛନ୍ତି ଯେପରିକି 2030 ସୁଦ୍ଧା ଶତକଡା 30 ପ୍ରତିଶତ ଯାନ ଇ-ଭେଇକିଲ ହୋଇପାରିବ । ଏହି କାର୍ଯ୍ୟକ୍ରମ ସମୟରେ ସେ କହିଥିଲେ ଯେ ଦେଶରେ ଚାର୍ଜିଂ ଭିତ୍ତିଭୂମି ନିର୍ମାଣ ପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ ଏବଂ ଏଥିପାଇଁ ଶୁଳ୍କ 6 ଟଙ୍କାରୁ କମ ରହିବ ।
ଏହି କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଅନିରୁଦ୍ଧ କୁମାର, ଇଇଏସଏଲ ଅଧ୍ୟକ୍ଷ ଶ୍ରୀ ରାଜୀବ ଶର୍ମା, ଇଇଏସଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବାଷ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।