ନବୀନ ବିଜେପୁରରେ ନିର୍ବାଚନ ଜିତିଲେ ସବୁଜ ଶସ୍ୟରେ ଭରିବ କ୍ଷେତ, ବଦଳିବ ଚାଷୀଙ୍କ ଭାଗ୍ୟ!

0 535

ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ହିଞ୍ଜିଳି ବ୍ୟତୀତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ବିଜୁ ଜନତା ଦଳର ଆଶା ଯେ, ନବୀନ ପଟ୍ଟନାୟକ ଉଭୟ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ । ହିଞ୍ଜିଳିରେ ନୀବନଙ୍କ ବିଜୟ ଅଭିଜ୍ଞତା ଥିବା ବେଳେ ବିଜେପୁର ମତଦାତା ନବୀନଙ୍କ ଭାବମୂର୍ତ୍ତି ଓ ବିଜେଡିକୁ ଦେଖି ଭୋଟ ଦେଇପାରନ୍ତି । ମାତ୍ର ବେଳେ ବେଳେ ପ୍ରଶ୍ନ ଉଠେ ଯେ ନବୀନ ଯଦି ବିଜେପୁରର ବିଧାୟକ ହୋଇଯିବେ, ତା’ହେଲେ କ’ଣ ବିଜେପୁର ଅଚଂଳ ସବୁଜ ଶସ୍ୟରେ ହସି ଉଠିବ । କ’ଣ ଏଠାକାର ଲୋକଙ୍କର ଭାଗ୍ୟ ବଦଳି ଯିବ ।

ଅବିଭକ୍ତ ସମ୍ବଲପୁର ଜିଲ୍ଲା (ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼)ରେ ବିଶ୍ୱର ଦୀର୍ଘତମ ମାଟିବନ୍ଧ ଯୋଜନାରେ ନିର୍ମିତ ହୀରାକୁଦ ଡ୍ୟାମରୁ ବରଗଡ଼ ଜିଲ୍ଲାର ମାତ୍ର ୩ଟି ବ୍ଲକ ବରଗଡ଼, ଅତାବିରା ଏବଂ ଭେଡେନକୁ ପାଣି ମିଳୁଛି । ବିଜେପୁର ଉପ-ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରି ଗତବର୍ଷ ନବୀନ ଗଙ୍ଗାଧର ମେହେର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ସରିଲେ ବିଜେପୁର ଓ ସୋହେଲାର ଚାଷୀମାନଙ୍କୁ ପାଣି ମିଳିବ । ପ୍ରକଳ୍ପ ଲକ୍ଷ୍ୟରେ ପହଂଚିଲେ ଚାଷୀମାନଙ୍କର କ୍ଷେତରେ ସବୁଜ ଶସ୍ୟ ଉପୁଜିବ । ଚାଷୀ ଆତ୍ମହତ୍ୟା ହେବ ନାହିଁ ।

ନବୀନ ଦୀର୍ଘ ୧୮ ବର୍ଷର କ୍ଷମତାରେ ରହି ମଧ୍ୟ ରାଜ୍ୟରେ ସବୁଜ ଫସଲ ଉପୁଜାଇ ପାରି ନାହାନ୍ତି । ରାଜ୍ୟରେ ଇନ୍ଦ୍ର ଦେବତାଙ୍କ ଭରସାରେ ଯାହା ଚାଷ ହେଉଛି । ରାଜ୍ୟର ମରୁଡି ପ୍ରଭାବିତ ଅଂଚଳରେ ଆଉ କେତେ ବର୍ଷ ପରେ ସେ ଜଳ ଯୋଗାଣ କରିପାରିବେ ସେ ହିଁ ଜାଣିଥିବେ । ଚଳିତ ବର୍ଷ ଜାନୁଆରୀରେ ନବୀନ କାଳିଆ ଯୋଜନାରେ ଚାଷୀମାନଙ୍କୁ ୫ ବର୍ଷରେ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇବାକୁ ଘୋଷଣା କରିଛନ୍ତି । ପ୍ରଥମ କିସ୍ତିରେ କିଛି ଚାଷୀମାନଙ୍କୁ ଟଙ୍କା ମଧ୍ୟ ମିଳିଯାଇଛି । ମାତ୍ର ରାଜ୍ୟର ଏମିତି ବି ସ୍ଥାନ ଅଛି ଯେଉଁଠାରେ ୮୦ ପ୍ରତିଶତ ଚାଷୀଙ୍କୁ କାଳିଆ ଟଙ୍କା ମିଳି ନାହିଁ ।

ରାଜ୍ୟ ସରକାର ଭୋଟ ରାଜନୀତି ନକରି ଯଦି ପ୍ରକୃତପକ୍ଷେ ଚାଷୀଙ୍କର ଚିନ୍ତା କରିଥାନ୍ତେ ତା’ହେଲେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ନଦେଇ ରାଜ୍ୟରେ ଅଧପନ୍ତରିଆ ଭାବରେ ପଡ଼ିଥିବା ଡ୍ୟାମର କାମ ତ୍ୱରାନ୍ୱିତ କରିପାରିଥାନ୍ତେ । ରାଜ୍ୟରେ ଯେଉଁ ଅଳ୍ପ କିଛି ଡ୍ୟାମ ଅଛି, ବର୍ଷ ବର୍ଷ ଧରି ମରାମତି ହୋଇପାରି ନାହିଁ, ସେଗୁଡ଼ିକର ମରାମତି ହୋଇପାରିଥାନ୍ତା । ସେହିପରି କେନାଲ ଗୁଡ଼ିକ ମରାମତି ହୋଇ ପାରୁନାହିଁ । କାଳିଆ ପାଇଁ ରାଜ୍ୟ ସରକାର ଯେତେ ଟଙ୍କା ବଜେଟ ରଖିଛନ୍ତି, ଏତିକି ଟଙ୍କାରେ ରାଜ୍ୟର ଜଳସେଚନ ପ୍ରକଳ୍ପ ଗୁଡ଼ିକ ମଜବୁତ କରାଯାଇ ପାରିଥ।।ନ୍ତା । ଏହା ଦ୍ୱାର ଚାଷୀମାନଙ୍କର ସବୁଦିନିଆ ସମସ୍ୟାର ଏକ ବଡ଼ ସମାଧାନ ହୋଇ ପାରିଥାନ୍ତା ।

Leave A Reply