ନୂଆଦିଲ୍ଲୀ.- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ଓ ଆସାମ ରାଇଫଲ୍ସ (ଏଆର୍)ର ସହିଦ୍ ଯବାନମାନଙ୍କ୧୯ ଜଣ ପିଲାଙ୍କୁ ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସ୍କଲାରସିପ୍ ଚେକ୍ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ସ୍କଲାରସିପ୍ ଅର୍ଥ ପ୍ରାୟୋଜିତ ସଂସ୍ଥା ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ (ଏସଡିଏଫ୍) ଦ୍ୱାରା ୨୬୫ ଜଣ ପିଲାଙ୍କ ଆକାଉଣ୍ଟକୁ ଡିଜିଟାଲ ପ୍ରକ୍ରିୟାରେ ଟ୍ରାନ୍ସଫର କରାଯାଇଛି । ଏସଡିଏଫର ଏହି ଉଦ୍ୟମ ସହିଦ୍ ଯବାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ସନ୍ତାନମାନଙ୍କ ଭବିଷ୍ୟତକୁ ଗଢ଼ିବା । ଏସଡିଏଫ୍ ଏହି ପିଲାମାନଙ୍କୁ କେବଳ ସ୍କଲାରସିପ୍ ଦେଉନି ବରଂ ସେମାନଙ୍କୁ ଦିଗଦର୍ଶନ ଦେବା ସହ ସେମାନଙ୍କୁ ପ୍ରାୟୋଜନ କରୁଛି ।
ସହିଦ୍ ଯବାନମାନଙ୍କ ପିଲାଙ୍କୁ ସ୍କଲାରସିପ୍ ଦେବା କାର୍ଯ୍ୟ ୨୦୧୬ରେ ଏସଡିଏଫ୍ ଆରମ୍ଭ କରିଥିଲା । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କୁ ବାର୍ଷିକ 6 ହଜାର ଟଙ୍କା ସ୍କଲାରସିପ୍ ଦିଆଯାଉଥିବା ବେଳେ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ ହଜାର ଟଙ୍କା ଏବଂ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବାର୍ଷିକ ୯ହଜାର ଟଙ୍କା ସ୍କଲାରସିପ୍ ଦିଆଯାଉଛି ।
ବିଦ୍ୟା ରକ୍ଷକ ଓ ବିଦ୍ୟା ଧନ ନାମରେ ଦୁଇଟି ଯୋଜନା ଫାଉଣ୍ଡେସନ ଦ୍ୱାରା ଚାଲୁ ରହିଛି । ବିଦ୍ୟା ରକ୍ଷକ ଯୋଜନାରେ ପିଲାମାନଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସହାୟତା ମିଳିପାରୁଛି । ବିଦ୍ୟା ଧନ ଯୋଜନାରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ଦିଆଯାଉଛି । ଆଜି ପର୍ଯ୍ୟନ୍ତ ମୋଟ ୧୫୦୦ ପିଲାଙ୍କୁ ଫାଉଣ୍ଡେସନ ପକ୍ଷରୁ ସହାୟତା ଦିଆଗଲାଣି ।
ଉଦବୋଧନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏଭଳି ଗୁରୁଦାୟିତ୍ୱ ସମ୍ପନ୍ନ କରୁଥିବାରୁ ଏସଡିଏଫର ମ୍ୟାନେଜିଂ ଟ୍ରଷ୍ଟି ଏସ.ଡି. ଶିବୁଲାଲଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଲେ ଯେ, ଅର୍ଦ୍ଧ ସାମରିକ ବଳର ସହିଦ୍ ଯବାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ସଂସ୍ଥା ଏହି ମହତ କାର୍ଯ୍ୟ କରୁଛି । ଏହାଦ୍ୱାରା ସଂସ୍ଥା ତାର ସାମାଜିକ ଦାୟିତ୍ୱବଦ୍ଧତାର ପରିଚୟ ଦେଉଛି । ପିଲାମାନଙ୍କୁ ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଉତ୍ତମ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଥିଲେ । ଦେଶର ନିରାପତ୍ତା ଓ ଗୌରବ ପାଇଁ ବଳିଦାନ ଦେଉଥିବା ଯବାନମାନଙ୍କ ପରିବାର ସକାଶେ ଏହା ଏକ ସମ୍ମାନ ବୋଲି ସେ କହିଥିଲେ