ଉପକୂଳରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତର ଓଡିଶାରେ ପ୍ରବଳ ଗ୍ରୀଷ୍ମ ଲହରି ଅବ୍ୟାହତ ରହିଛି । ତେବେଆଗାମୀ ୧୯ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ବଢୁଥିବାରୁ ଏହା ରାଜ୍ୟର ତାପମାତ୍ରାକୁ ହ୍ରାସ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ସୂଚନା ଅନୁସାରେ ଗତକାଲି ସୁଦ୍ଧା ଆଣ୍ଡାମାନ ଛୁଇଁଛି ମୌସୁମୀ ବାୟୁ । ଆସନ୍ତା ୨୭ତାରିଖ ସୁଦ୍ଧା ଏହା କେରଳରେ ପ୍ରବେଶ କରିବ । ସ୍ୱାଭାବିକ ଭାବେ କେରଳ ମୌସୁମୀ ଛୁଇଁବା ୧୦ଦିନ ଭିତରେ ଓଡିଶାକୁ ପ୍ରବେଶ କରିବା ସମ୍ଭାବନା ବଢିଛି । ଅର୍ଥାତ୍ ଜୁନ ୬ରୁ ୭ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଯଦି ଲଘୁଚାପ ଦାନା ବାନେ୍ଧ ତାହାହେଲେ ମୌସୁମୀ ସଅଳ ଓଡିଶା ଛୁଇଁବା ଆଶା କରାଯାଉଛି ।
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗତକାଲି ଆଣ୍ଡାମାନ ସାଗରରେ ଦକ୍ଷିଣ -ପଶ୍ଚିମ ମୌସୁମୀବାୟୁ ପ୍ରବେଶ କରିଛି । ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଜାରି ରହିଛି । ନିମ୍ନ କ୍ରାନ୍ତି ବଳୟ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ ତୃତୀୟ ବର୍ଷ ପାଇଁ ଦେଶରେ କ୍ରମାଗତ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । ସମଗ୍ର ଦେଶରେ ମୌସୁମୀର ପ୍ରଭାବରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।
Comments are closed, but trackbacks and pingbacks are open.