କଟକ- ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାକରଣ ଗିରଫ ହୋଇଥିଲେ । ଏଥିରେ ବେଆଇନ ସତ୍ୟପାଠ ପ୍ରସ୍ତୁତିରେ ରାଜଲକ୍ଷ୍ମୀଙ୍କ ସମ୍ପୃକ୍ତି ଅଭିଯୋଗ ଏବଂ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଥିଲା ।
ଜିଲ୍ଲା ନୋଟାରୀ ସଂଘ ପକ୍ଷରୁ ନୋଟାରୀ ରାଜଲକ୍ଷ୍ମୀଙ୍କ ବିରୋଧରେ ଆଇନ ବିଭାଗରେ ଅଭିଯୋଗ କରାଯାଇଥିଲା । ଏହାର ସତ୍ୟତା ବିଷୟରେ ଦସ୍ତାବେଜ୍ ମଧ୍ୟ ପ୍ରଦାନ କରାଯାଇଥିଲା। ଆଇନ ବିଭାଗ କେବଳ ଚେତାବନୀ ଦେଇଥିବା ବେଳେ ନୋଟାରୀ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ବେନିୟମ ଭାବେ ଶହ ଶହ ଗରିବ ଲୋକଙ୍କ ଟଙ୍କା ଏହି ଚୁକ୍ତିନାମା ବଳରେ ଯାଇଛି । ପକ୍ଷଙ୍କ ଉପସ୍ଥିତି ବିନା ସାଧା ବା ଖାଲି ଷ୍ଟାମ୍ପ ପେପରେ ଦସ୍ତଖତ କରିବା ଏବଂ ନିଜର ନୋଟାରୀ ଷ୍ଟାମ୍ପ ବ୍ୟବହାର କରିବା ନୋଟାରୀ ଆଇନ ଧାରା ୧୨ର ଉଲ୍ଲଘଂନ ହୋଇଥିବା ବେଳେ ଖାଲି ଚେତାବନୀ ଦେଇ ଛାଡିବା ଆଇନ ବିଭାଗର ତରବରିଆ ନିଷ୍ପତ୍ତି ବୋଲି ନୋଟୋରୀ ସଂଘ ପକ୍ଷରୁ ଏକ ପ୍ରେସବାର୍ତ୍ତାରେ କୁହାଯାଇଛି ।
କଟକ କନ୍ଦରପୁର ଠାରେ ସିଏମସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା କୋଠାକୁ ଚଞ୍ଚକତା କରି ବିକ୍ରି କରିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଙ୍କ ସ୍ବାମୀ ରାଜା କିରଣ ଚୌଦ୍ଵାର ଜେଲ୍ ରେ ଅଛି। ତେବେ ଏହାର ମାଷ୍ଟର ମାଇଣ୍ଡ ତଥା ଜାଲ ପଞ୍ଜିକରଣ ମାଧ୍ୟମରେ ଲୋକଙ୍କୁ ଭୁଆଁ ବୁଲାଇଥିବା ନୋଟାରି ରାଜଲକ୍ଷ୍ମୀ ପତି ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅରୁଣୋଦୟ ମାର୍କେଟରେ ବେଆଇନ୍ ଭାବେ ତିନି ତିନିଟି ଅଫିସ୍ ଖୋଲି ବସିଥିବା ନୋଟରୀ ରାଜଲକ୍ଷ୍ମୀକୁ ପୋଲିସ୍ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରିସର ଭୁକ୍ତ କରିଥିଲେ। କନ୍ଦରପୁରଠାରେ ସିଏମସି ନିର୍ମିତ ଘରଗୁଡ଼ିକ ଆଇନଗତ ସମସ୍ୟା ଦୃଷ୍ଟିରୁ ବଣ୍ଟନ ହୋଇପାରୁନଥିବାରୁ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନଥିବା ସୁଯୋଗରେ ରାଜାକରଣ ରାଜଲକ୍ଷ୍ମୀ ପତି ସହାୟତାରେ ଷ୍ଟାମ୍ପ ପେପରରେ ନୋଟାରାଇଜ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ଘର ହସ୍ତାନ୍ତର କରିଥିଲା ।ଟଙ୍କା ପଇସା ଧାର୍ଯ୍ୟ ପରେ ରାଜା ରାଜଲକ୍ଷ୍ମୀ ପାଖକୁ ପଠାଉଥିଲା ଲୋକଙ୍କୁ ।ଗରିବ, ନିରୀହ ଲୋକମାନଙ୍କୁ ଚଂଚକତା କରି ଜମି ହସ୍ତାନ୍ତର ନାମରେ ଷ୍ଟାମ୍ପ ପେପରରେ ଦସ୍ତଖତ ମାରି ଦେଉଥିଲା ରାଜଲକ୍ଷ୍ମୀ। ଏହା ବିନିମୟରେ ଗରିବ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଅଣାଯାଇଥିଲା lତେବେ ଆଶ୍ଚର୍ଯ୍ୟଜନକ ଭାବେ ଏପରି ଜଘନ୍ୟ ଠକେଇରେ ରାଜଲକ୍ଷ୍ମୀ ତଦନ୍ତ ପରିସରକୁ ଆସିଥିଲେ ମଧ୍ୟ ତା ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯିବା ସାଧାରଣରେ ସଂଶୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଶହ ଶହ ଲୋକଙ୍କ ବିବିଧ ଚୁକ୍ତିନାମା ପଞ୍ଜିକରଣ ଜାଲିଆତିରେ ରାଜଲକ୍ଷ୍ମୀର ସମ୍ପୃକ୍ତିର ଗୁମର ଫିଟୁଛି। ରାଜଲକ୍ଷ୍ମୀ ନୋଟାରି ଲାଇସେନ୍ସର ବ୍ୟାପକ ଦୁରୁପଯୋଗ କରି କୌଣସି ପକ୍ଷର ବିନା ଉପସ୍ଥିତି ଓ ବିନା ଦସ୍ତଖତରେ ଚୁକ୍ତିନାମା ସବୁ ଉଚ୍ଚଦାମରେ ବିକ୍ରି କରି ବେଶ୍ ମାଲାମାଲ ହେଉଛି।ସରକାର ନିୟମ ବାହାରେ ଲାଇସେନ୍ସର ଅପବ୍ୟବହାର ଯୋଗୁଁ ରାଜଲକ୍ଷ୍ମୀ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ କଟକ ନୋଟାରି ଆସୋସିଏସନର କର୍ମକର୍ତ୍ତା । ଆଇନ ବିଭାଗ ପ୍ରମୁଖ ସଚିବଙ୍କ ଦପ୍ତରରେ ଏପରି ଅଭିଯୋଗର ଚାଞ୍ଚଲ୍ୟକର ଖବର ଆମର ହସ୍ତଗତ ହୋଇଛି।ପଞ୍ଜୀକୃତ ନୋଟାରି ସଂଘର ଅଭିଯୋଗ ଅନୁସାରେ ରାଜଲକ୍ଷ୍ମୀ ନୋଟାରି ରେଜିଷ୍ଟରରେ ନମ୍ବର ନ ଲେଖି ଆବଶ୍ୟକୀୟ ଷ୍ଟାମ୍ପ ନମାରି , ପକ୍ଷମାନଙ୍କ ଦସ୍ତଖତ ନନେଇ , ସାକ୍ଷ୍ୟଙ୍କ ଦସ୍ତଖତ ନମାରି, ଅଧିକାଂଶ ପଞ୍ଜିକରଣ କରି ପେଷାଗତ ଶୃଙ୍ଖଳା ଭଙ୍ଗ କରିବା ସହିତ ସରକାରୀ ଆଇନକୁ ଫୁ କରିଦେଇଛି। ନୋଟାରି ଆଇନ୍ର ଧାରା ୧୨ ର ଉଲ୍ଲଂଘନ କରି ସେ ତାଙ୍କ ଷ୍ଟାମ୍ପରେ ଲାଇସେନ୍ସ ଏକ୍ସପାଇରି ତାରିଖ ନଲେଖିବା ଆଉ ଏକ ଚଂଚକତା।ଷ୍ଟାମ୍ପଭେଣ୍ଡରଙ୍କ ଠାରୁ ସମସ୍ତ ଷ୍ଟାମ୍ପ ପେପର ନିଜ ନାମରେ କିଣିଆଣି ରାଜଲକ୍ଷ୍ମୀ ଉଚ୍ଚଦରରେ ପକ୍ଷମାନଙ୍କୁ ବିକ୍ରୀକରିବା ଏକ ଅବୈଧ ଅଭ୍ୟାସ । ଏ ସମସ୍ତ ତଥ୍ୟଯୁକ୍ତ ଅଭିଯୋଗକୁ ଆଇନ୍ ବିଭାଗ ସଚିବ ଗ୍ରହଣ କରି କଡ଼ା ଚେତାବନୀ ଦେଇଛନ୍ତି।
ତେବେ ନିଜ ବଦଳି ଅବ୍ୟବହିତ ପୂର୍ବରୁ ସଚିବ ତରବରିଆ ଭାବେ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ସହଜରେ ଗ୍ରହଣ କରୁନାହାନ୍ତି ନୋଟାରୀ ସଂଘ୍। ସଭାପତି ନଟବର ପଣ୍ଡା ତଥା ଅନ୍ୟ କର୍ମକର୍ତ୍ତା ଏପରି ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରୀ ରଖିବେ ବୋଲି ମତ ଦେଇଛନ୍ତି।
ଏକ ଦୈନିକ ସମ୍ବାଦପତ୍ରର ଅନ୍ତକନ୍ଦଳରେ ପକ୍ଷଭୁକ୍ତ ହୋଇଥିବାରୁ ରାଜଲକ୍ଷ୍ମୀକୁ ସେହି ଖବରକାଗଜର ଜନୈକ ମଙ୍ଗୁଆଳ ଘଣ୍ଟ ଘୋଡାଉଥିବାରୁ ପୋଲିସ୍ ଓ ପ୍ରଶାସନ ରାଜଲକ୍ଷ୍ମୀ ଉପରେ ଶିଥିଳ ମନୋଭାବ ରଖୁଥିବାର ଅଭିଯୋଗ ମଧ୍ୟ ହୋଇଇଛି ।
								
									
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
			 
											
Comments are closed, but trackbacks and pingbacks are open.