କାର୍ତ୍ତିକ ପଞ୍ଚୁକ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଲାଗି ନୂତନ ମାର୍ଗ ଦର୍ଶିକା ପ୍ରକାଶ ପାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଏଣୁ ୨ ଦିନ ଲାଗି ସର୍ବସାଧାରଣ ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରହିଥିବା ଦର୍ଶନ ଅବଧିକୁ ରାତି ୧୧ଟା ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଡାଳିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ଆବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥିଲା । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ତିଆରି ହୋଇଥିବା ଚୂଳ ସହ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସାଯାଇଥିବା ବେଳେ ମସ୍ତକର ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଛି । ସେବକମାନେ ଠାକୁରମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାର, ହଳ,ମୂଷଳ, ଶଙ୍ଖ, ଚକ୍ର ଓ ପାଟବସ୍ତ୍ରରେ ଭୂଷିତ କରାଇଥିଲେ ।