ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ମାଗଣାରେ କୋଭିଡ୍‍ ବୁଷ୍ଟର ଡୋଜ୍‍

127

କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆରମ୍ଭ ହୋଇଛି ।ଏହି ଅଭିଯାନ ମଧ୍ୟରେ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ବିନାଦେୟରେ କୋଭିଡ୍‍ ବୁଷ୍ଟର ଡୋଜ୍‍ ପ୍ରଦାନ କରାଯିବ । ଆଜାଦି କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯିବ । ସମସ୍ତ ଯୋଗ୍ୟ ନାଗରିକଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍‍ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ୭୫ ଦିନ ଅର୍ଥାତ୍‍ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୧୮ ବର୍ଷରୁ ଊଦ୍ଧ୍ୱର୍ ଯେଉଁ ବ୍ୟକ୍ତିମାନେ କୋଭିଡ ଦ୍ୱିତୀୟ ଡୋଜ୍‍ ଟିକା ନେବାର ୬ ମାସ ପୂରଣ କରିସାରିଛନ୍ତି, ସେମାନେ ଏହି ବୁଷ୍ଟର ଡୋଜ୍‍ ନେବା ଲାଗି ଯୋଗ୍ୟ ହୋଇପାରିବେ । ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ରାଜ୍ୟରେ ଥିବା ୩୦୦୦ଟି ସରକାରୀ ଟୀକାକରଣ କେନ୍ଦ୍ରରେ ଏହି ଅଭିଯାନ ଅଧୀନରେ ବିନାଦେୟରେ ଟୀକାକରଣ ହେବ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ସେ କହିଛନ୍ତି, ୧୮ରୁ ୫୯ ବର୍ଷ ବୟସ ବର୍ଗରେ ରାଜ୍ୟରେ ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି ।

ଇତିମଧ୍ୟରେ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରିକସନରୀ ଡୋଜ୍‍ ନେଇସାରିଛନ୍ତି । ଅର୍ଥାତ୍‍ ୯୯ଧ ଲୋକ ଏହି ଟିକା ନେଇନାହାନ୍ତି । ଏହି ଟୀକାକରଣ ପାଇଁ ପଞ୍ଜିକରଣ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଯେ ୧୨ରୁ ୧୪ ବର୍ଷ ମଧ୍ୟରେ ୯୮ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୨ୟ ଡୋଜ୍‌ ୭୨ ପ୍ରତିଶତ ନେଇସାରିଛନ୍ତି । ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ପ୍ରଥମ ଡୋଜ୍‍ ୯୨ ପ୍ରତିଶତ ନେଇଥିବା ବେଳେ ୮୨ ପ୍ରତିଶତ ୨ୟ ଡୋଜ୍‌ ନେଇସାରିଛନ୍ତି । ୧୮ ବର୍ଷରୁ ଅଧିକ ଲୋକଙ୍କୁ ୯୬ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍‌ ୯୦ ପ୍ରତିଶତ ଲୋକଙ୍କୁ ଦିଆସାରିଛି । ସେହିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ବୁଷ୍ଟର ଡୋଜ୍‍ ନେଇ ପାରିବେ, ସେଥିପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ସରକାରଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଡକ୍ଟର ପାଣିଗ୍ରାହୀ କହିଛନ୍ତି ।

କୋଭିଡ ସମୀକ୍ଷା ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳ ଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ଦୃଷ୍ଟିରୁ ଟିକାକରଣ, ସଚେତନତା ଓ ସଠିକ୍‍
ସୂଚନା ପ୍ରସାରଣ ଉପରେ ମୁଖ୍ୟସଚିବ ଗୁରୁତ୍ୱ ଆରୋପ କରିଛନ୍ତି । ସେହିଭଳି ଦୈନିକ କୋଭିଡ ପରୀକ୍ଷଣ ସଂଖ୍ୟା ବଢ଼ାଇବା ସହ କଲ୍‍ ସେଣ୍ଟରଗୁଡ଼ିକୁ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଲାଗି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରତ୍ୟେକ ମେଡ଼ିକାଲ କଲେଜ ଓ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ ୱାର୍ଡ ବ୍ୟବସ୍ଥା କରାଯିବା ସହ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ଓ ବେଡ୍‍ ସଂଖ୍ୟା ବୃଦ୍ଧି କରିବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ବୈଠକରେ ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ପୌର ପରିଷଦର କମିଶନରମାନେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ନିଜ ନିଜ ଅଞ୍ଚଳର କୋଭିଡ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ
ମୁଖ୍ୟସଚିବଙ୍କୁ ଅବଗତ କରାଇଛନ୍ତି ।

Comments are closed, but trackbacks and pingbacks are open.