ବାଲେଶ୍ୱରର ବସ୍ତାଠାରେ ଜଳକା ନଦୀରେ ବନ୍ୟା ଆସିବାରୁ ଏକତାଳି ଗାଁ ନିକଟରେ ୫୦୦ ମିଟରର ନଦୀବନ୍ଧ ଭାଙ୍ଗିଯାଇଛି

0 102

ବାଲେଶ୍ୱରର ବସ୍ତାଠାରେ ଜଳକା ନଦୀରେ ବନ୍ୟା ଆସିବାରୁ ଏକତାଳି ଗାଁ ନିକଟରେ ୫୦୦ ମିଟରର ନଦୀବନ୍ଧ ଭାଙ୍ଗିଯାଇଛି । ଫଳରେ ବସ୍ତା ବ୍ଲକ ପୁଲଥିଟା ବସ୍ତିର ୪୦ଟି ଘରେ ବନ୍ୟାଜଳ ପ୍ରବେଶ କରିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନରେ ରଖାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଏଥିସହିତ ବାହାରଦା, ଉପରତା ପଣ୍ଡା ବସ୍ତି, ବାହାରଦା ଓଡ଼ିଆ ବସ୍ତି ସମେତ ବିଭିନ୍ନ ଅଞ୍ଚଳରେ ପାଣି ଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ
ନିର୍ଦ୍ଦେଶ ଦିଆଯାଇଛି । ଜଳକା ନଦୀ କୂଳବର୍ତ୍ତୀ ପାଖାପାଖି ୧୫ଟି ପଞ୍ଚାୟତରେ ଲୋକମାନେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ନଦୀର ଜଳସ୍ତର ମଥାନୀଠାରେ ୭ ଦଶମିକ ୨/୩ ମିଟରରେ ପ୍ରବାହିତ ହେଉଛି ।


ସେଠାରେ ବିପଦସଙ୍କେତ ସ୍ତର ରହିଛି ୫ ଦଶମିକ ୫/୦ ମିଟର । ସେହିପରି ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ରାଜଘାଟଠାରେ ବନ୍ୟାଜଳ ୧୦ ଦଶମିକ ୩/୬ ମିଟର ଥିବାବେଳେ ଅପରାହ୍ଣ ୫ଟା ସୁଦ୍ଧା ୧୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୬୩ ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଡ୍ରେନେଜ୍‍ ସମସ୍ୟା ଉପୁଜିଛି ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ କହିଛନ୍ତି । ସେ କହିଛନ୍ତି, ଜଳ ନିଷ୍କାସନ ସମସ୍ୟା ଦେଖାଦେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି । ସେହିଭଳି ସମସ୍ୟାର ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ ସମାଧାନ ଦିଗରେ କାର୍ଯ୍ୟ କରାଯାଉଛି । ସେ କହିଛନ୍ତି, ୭୫ଟି ସ୍ଥାନ ଚିହ୍ନଟ କରାଯାଇଛି । ବିଭିନ୍ନ ଅଞ୍ଚଳରେ ସମୀକ୍ଷା କରିବା ପାଇଁ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ବର୍ଷାରେ ୩୫ଟି ସ୍ଥାନରେ ପମ୍ପସେଟ୍‍ ଲଗାଯାଇଥିବାବେଳେ ଆଗକୁ ଅଧିକ ପମ୍ପସେଟ୍‍ ଲଗାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।

Leave A Reply