ମା’ମାନଙ୍କ ସଶକ୍ତୀକରଣ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକ

90

-ଜନତା ମଇଦାନରେ କୃଷି ଓଡ଼ିଶା ୨୦୨୪ର ଉଦ୍‌ଘାଟିତ
– ୧୦ ମହିଳା ଚାଷୀଙ୍କ ସମେତ ୨୭ ଜଣ ଚାଷୀ ପୁରସ୍କୃତ


ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି କେବଳ ଏକ ପରିବାରକୁ ନୁହେଁ, ସାରା ସମାଜକୁ ତାହାର ଲାଭ ମିଳିଥାଏ । ସେମାନଙ୍କ ସଶକ୍ତୀକରଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ମିଶନ ଶକ୍ତି ଜରିଆରେ ମା’ମାନେ ବିକାଶର ସବୁ କ୍ଷେତ୍ରରେ ସହଯୋଗୀ ହୋଇପାରିଛନ୍ତି । କୃଷି କ୍ଷେତ୍ରରେ ସେମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି । କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ରହିଛି । ମିଶନ ଶକ୍ତି, ମିଲେଟ୍ ମିଶନ, କଫି ମିସନ ଭଳି ବହୁ କାର୍ଯ୍ୟକ୍ରମ ଜାରି ରହିଛି । ଏକ୍ଷେତ୍ରରେ ସେମାନେ ଆଗକୁ ବଢ଼ିବା ଦରକାର । ଚାଷୀମାନଙ୍କ ବିକାଶ ଓ କଲ୍ୟାଣ ଉପରେ ଆମେ ସବୁବେଳେ ଗୁରୁତ୍ୱ ଦେଉଛୁ । କାଳିଆ ଯୋଜନା ଚାଷୀମାନଙ୍କ ପାଇଁ ବହୁତ ଭଲ କାମ କରୁଛି । ଏହି ଯୋଜନାକୁ ଆହୁରି ବ୍ୟାପକ କରାଯାଇଛି ଯାହା ଦ୍ୱାରା ଆହୁରି ଅଧିକ ଚାଷୀ ପରିବାରର ପିଲାମାନଙ୍କୁ ଶିକ୍ଷା ବୃତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।


ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ “କୃଷିରେ ମହିଳାମାନଙ୍କ ସଫଳତାର ପାଳନ’ ବିଷୟବସ୍ତୁ ଉପରେ ଶୁକ୍ରବାରଠାରୁ ଜନତା ମଇଦାନରେ ସମ୍ପର୍କିତ ଆରମ୍ଭ ହୋଇଥିବା କୃଷି ଓଡ଼ିଶା ୨୦୨୪କୁ ଉଦ୍‌ଘାଟନ କରିବା ଅବସରରେ ସେ କୃଷି କ୍ଷେତ୍ର ପ୍ରତି ମହିଳାମାନଙ୍କ ଯୋଗଦାନକୁ ଉଲ୍ଲେଖନୀୟ ବୋଲି କହିଛନ୍ତି । କୃଷି କ୍ଷେତ୍ରରେ ରହିଥିବା ସୁଯୋଗକୁ ବ୍ୟବହାର କରି ଆଗକୁ ବଢ଼ିବା ଲାଗି ସେ ରାଜ୍ୟର ମହିଳାମାନଙ୍କୁ ଉତ୍ସାହିତ କରିଛନ୍ତି ।


ଏହି ଅବସରରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୨ ବର୍ଷ ଭିତରେ ଓଡ଼ିଶା ଅନାହାରରୁ ଏକ ଖାଦ୍ୟ ବଳକା ରାଜ୍ୟରେ ରୂପାନ୍ତରୀତ ହୋଇପାରିଛି । ୧୯୯୯-୨୦୦୦ରେ ବଜେଟ୍‌ରେ କୃଷି ପାଇଁ ମାତ୍ର ୭୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ଏବେ ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରୁଥିବା ବେଳେ ସେଥିପାଇଁ ୨୪ ହଜାର କୋଟି ଟଙ୍କା ଆବଂଟନ କରିଛନ୍ତି । ଏହି ସମୟ ଭିତରେ ବଜେଟ୍‌ରେ କୃଷି କ୍ଷେତ୍ରକୁ ବ୍ୟୟବରାଦ ପରିମାଣ ୪ ପ୍ରତିଶତରୁ ବୃଦ୍ଧି ପାଇ ୧୦ ପ୍ରତିଶତରେ ପହଂଚିପାରିଛି । ଅଧିକ ବ୍ୟୟ କରାଯାଉଥିବାରୁ ଲଗାତାର ଭାବେ ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିଛି । କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗ ୬୦ ପ୍ରତିଶତରୁ ଅଧିକ ରହିଛି ।’’


ଏହି ଅବସରରେ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, “ଆମ ମହିଳା ଚାଷୀମାନଙ୍କ ପ୍ରକୃତ ସଶକ୍ତୀକରଣ ଓ ସଂପୃକ୍ତି ଜରିଆରେ ଆମେ ଓଡ଼ିଶାରେ କଷି କ୍ଷେତ୍ରର ରୂପାନ୍ତରଣ କରିବାକୁ ଲକ୍ଷ୍ୟ ରଖିଛୁ । କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀୁ ସମ୍ମାନ ଓ ପ୍ରୋତ୍ସାହିତ଼ କରିବା ସହ ସେମାନଙ୍କ ସମ୍ମାନକୁ ବଢ଼ାଇବା ଲାଗି ଆମ ବିଭାଗ ସଦାସର୍ବଦା ସଜାଗ ରହିଛି । ମହିଳା ଚାଷୀ ଭିତିକୁ ଯୋଜନା ପ୍ରଣୟନ କରାଯାଉଛି । ମିସନ ଶକ୍ତିଠାରୁ ଆରମ୍ଭ କରି ଜଳବିଭାଜିକା ଭଳି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରାଯାଇଛି ବୋଲି ସେ କହିଛନ୍ତି ।


ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି ଯେ, “ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ ଧାନ ସଂଗ୍ରହଠାରୁ ଆରମ୍ଭ କରି ମାଛ ଚାଷ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିପାରିଛନ୍ତି । କୃଷି କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି । ଓଡ଼ିଶା ଏବେ ଏକ କୃଷି ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ସେ କହିଛନ୍ତି ।
କୃଷି କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ୧୦ ଜଣ ମହିଳା ଚାଷୀଙ୍କ ସମେତ ୨୭ ଜଣ ଚାଷୀଙ୍କୁ ଏହି ଅବସରରେ ପୁରସ୍କୃତ ଓ ସମ୍ମାନିତ କରାଯାଇଛି ।


ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ଚାଷ କ୍ଷେତରେ କାର୍ଯ୍ୟ କରୁଥିବା ପ୍ରାୟ ୫୦୦୦ ମହିଳା, ୨୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ସାମିଲ ହୋଇଛନ୍ତି ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ଅନୁଷ୍ଠାନ, ସିଜିଆଇଏଆର ଅନୁଷ୍ଠାନ, ବେସରକାରୀ ସଂଗଠନ, କୃଷକ-ବୈଜ୍ଞାନିକ ଆଲୋଚନା, ସେମିନାର, କୃଷକ ସୁବିଧା କେନ୍ଦ୍ର, ଅଭିଜ୍ଞତା-ଶିକ୍ଷଣ କେନ୍ଦ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନ, କୃଷି ଜାତ ଦ୍ରବ୍ୟ ଉପରେ ପ୍ରଦର୍ଶନୀ ଷ୍ଟଲ, ମହିଳା କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ ।
କୃଷି ଓଡ଼ିଶା ୨୦୨୪କୁ ଆହୁରି ଆକର୍ଷଣୀୟ କୁଇଜ୍ ଓ ବକ୍ତୃତା ରେ ପରିଣତ କରିବା ପାଇଁ ପରୀକ୍ଷାମୂଳକ ଜଳକ୍ରୀଡ଼ା, ସ୍ଥାନୀୟ କୃଷକ ଗୀତ, କାହାଣୀ, ପୋଷ୍ଟକାର୍ଡ ବିନିମୟ, କୃଷକ ସୁବିଧା କେନ୍ଦ୍ର ଓ ଏକ ପରୀକ୍ଷାମୂଳକ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ଶେଷରେ କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.